ଟ୍ରାଫିକ ଅବ୍ୟବସ୍ଥା ନେଇ ହାଇକୋର୍ଟଙ୍କ ଶୁଣାଣି: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

କଟକ ଅଫିସ,୧୪ା୧୨: ବାଦାମବାଡିରୁ ଲିଙ୍କରୋଡ ପର୍ଯ୍ୟନ୍ତ ଟ୍ରାଫିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏକ କମିଟି ଗଠନ କରାଯିବ। ଏଥିରେ କଟକ ଡିସିପି ଅଧ୍ୟକ୍ଷ ରହିବେ। ସ୍ଥାୟୀ ସମାଧାନ ପାଇଁ ବାଦାମବାଡ଼ିରୁ ଲିଙ୍କରୋଡ ମଧ୍ୟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ମଧ୍ୟ ଉକ୍ତ କମିଟି ସ୍ଥାନ ନିର୍ଦ୍ଧାରଣ କରିବ। ବାଦାମବାଡି-ଲିଙ୍କରୋଡ ଟ୍ରାଫିକ୍‌ ସମସ୍ୟା ଉପରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଆଡଭୋକେଟ ଦୀପ୍ତିରଞ୍ଜନ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଆସନ୍ତା ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।