ଟ୍ରଲିରେ ମୃତଦେହ ନେଲେ ପରିବାର ଲୋକେ

ବ୍ରହ୍ମପୁର ଅଫିସ,୧୯ା୨ – ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ମେଡିକାଲରେ ମୃତ୍ୟୁ ଘଟିଥିବା ରୋଗୀଙ୍କୁ ନେବା ପାଇଁ ମହାପ୍ରୟାଣ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ହେଲେ ଏହା ନ ମିଳିବାରୁ ଜଣେ ବୃଦ୍ଧାଙ୍କ ମୃତଦେହ ତାଙ୍କ ପରିବାର ଲୋକେ ଏକ ଟ୍ରଲିରେ ନେଇଛନ୍ତି।
ଘଟଣାରୁ ପ୍ରକାଶ, ଟାଉନ ଥାନା ଅନ୍ତର୍ଗତ ଗେଟ୍‌ବଜାର ଜାଗିଲି ସାହିରେ ରହୁଥିବା ତ୍ରିନାଥ ସିଂଙ୍କ ମା’ ଚନ୍ଦ୍ରମା (୬୦) ସୋମବାର ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତ୍ରିିନାଥ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ତାଙ୍କ ଭଉଣୀ ସନ୍ତୋସିନୀ କାମ କରି ଯାହା କିଛି ଅର୍ଥ ଉପାର୍ଜ୍ଜନ କରୁଥିଲେ ସେଥିରେ ମା ଓ ୨ ଭାଇ ଭଉଣୀ ଚଳୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଚନ୍ଦ୍ରମାଙ୍କ ମୃତ୍ୟୁ ଘଟିଥିଲା। ବୃଦ୍ଧାଙ୍କ ମୃତଦେହ ହସ୍ପିଟାଲରୁ ନେଇଯିବା ପାଇଁ ଡାକ୍ତର ତ୍ରିନାଥଙ୍କୁ କହିଥିଲେ। ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମା’ଙ୍କ ମୃତଦେହ ନେବା ପାଇଁ ସେମାନେ ଇଛା କରିଥିଲେ। ହେଲେ ସେମାନଙ୍କ ପାଖରେ ଟଙ୍କା ନ ଥିଲା। ସେହିପରି ତାଙ୍କ ଗୁହାରି କେହି ଶୁଣି ନ ଥିବା ସନ୍ତୋସିନୀ ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟହୋଇ ତ୍ରିନାଥ ଏକ ଟ୍ରଲି ଆଣି ମା’ଙ୍କ ମୃତଦେହ ଶ୍ମ୍ମଶାନକୁ ନେଇଥିଲେ। ଏମ୍‌କେସିଜି ଦ୍ୱିତୀୟ ଫାଟକ ନିକଟରେ କେତେଜଣ ସ୍ବେଚ୍ଛାସେବୀ ଓ ଖବରଦାତା ସେମାନଙ୍କୁ ଭେଟିଥିଲେ। ସେଠାରେ ତାଙ୍କୁ ସେମାନେ ଆର୍ଥିକ ସହାୟତା ଦେଇଥିଲେ। ପରେ ଏକ ଘରୋଇ ଆମ୍ବୁଲାନ୍ସ ଜରିଆରେ ବୃଦ୍ଧାଙ୍କ ମୃତଦେହ ଗେଟବଜାର ନିକଟ ଶ୍ମଶାନକୁ ନେଇ ସଂସ୍କାର କରିଥିଲେ। ଏନେଇ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କୁହନ୍ତି, ଜଣେ ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃୃତ୍ୟୁ ଘଟିଥିଲା। ମହାପ୍ରୟାଣ ଆମ୍ବୁଲାନ୍ସ ନ ପାଇ ତାଙ୍କ ମୃତଦେହ ଏକ ଟ୍ରଲିରେ ତାଙ୍କ ପୁଅ ଓ ଝିଅ ନେଇଥିବା ମଁୁ ଶୁଣିବାକୁ ପାଇଛି। ଏପରି ଘଟଣା ମେଡିକାଲରେ କିପରି ଘଟିଲା ସେନେଇ କାଜୁଆଲଟି ମେଡିକାଲ ଅଫିସର, କାଜୁଆଲଟି ମ୍ୟାନେଜର ଓ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସେ କହିଛନ୍ତି।