ଟ୍ରକ୍‌ ଧକ୍କାରେ ମହିଳା ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତିର୍ତ୍ତୋଲ, ୯।୬(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା-ଏରସମା ରାସ୍ତାର କୋତପୁର ନିକଟରେ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ବଡ଼ମଠ ଗ୍ରାମର ହାରୁନ ଶାହାଙ୍କ ସ୍ତ୍ରୀ ମଦିନା ବିବି(୫୫)।
ପ୍ରକାଶ ଯେ, ମଦିନା କୌଣସି କାମରେ ଘରୁ କୋତପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ମଣିଜଙ୍ଗା ଆଡୁ ଆସୁଥିବା ଏକ ଟ୍ରକ (ଓଆର୍‌ ୦୯ଇ ୨୬୧୫)ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମଦିନାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମହିଳାଙ୍କ ମୃତଦେହ ଓ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି।