ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତେଜିଲା

ସରଣ୍ଡା,୨୦।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ବୁଧବାର ତେଜିଛି। ତୃତୀୟ ଦିନରେ ଚାଷୀମାନେ ଅତାବିରା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି। ଆନ୍ଦୋଳନ ତେଜି ଥିବାବେଳେ ସରକାର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଅଣଦେଖା ଚରମସୀମା ପହଞ୍ଚିଛି। ଆନ୍ଦୋଳନ ପାଇଁ ବିପୁଳ ଜନସମର୍ଥନ ମିଳିଛି। ଚାଷୀମାନେ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବା ବେଳେ ଏହାର ସମାଧାନ କରାଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳର ସମସ୍ତ ଚାଷୀ ମିଶି ଗତ ଦୁଇଦିନ ହେଲା ଧାନ ବିକ୍ରୟ ବନ୍ଦ କରି ଶାନ୍ତି ଶୃଙ୍ଖଳା ସହ ଆନ୍ଦୋଳନ କରୁଥିଲେ ତେବେ ବୁଧବାର ସରକାରୀ ଅଫିସମାନ ବନ୍ଦ କରିଛନ୍ତି। ଚାଷୀ ମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଉଛନ୍ତି। ଏନେଇ କୌଣସି ସମାଧାନ ନ କରାଗଲେ ଆଗକୁ ଚାଷୀମାନେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି କହିଛନ୍ତି।