ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ ବିକି ନ ପାରି ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଟୋକନ ଅପେକ୍ଷାରେ ଚାଷୀ ଦିନ ବିତାଇ ଚାଲିଛି। ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନ ଶେଷ ପନ୍ଥା ବୋଲି ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।
ଖଇରା ବ୍ଲକରେ ୭ ହଜାର ୧୫୮ଜଣ ଚାଷୀ ଆନୁମାନିକ ୩ଲକ୍ଷ ୫୦ହଜାର କୁଇଣ୍ଟାଲ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଥିଲେ। ଡିସେମ୍ବର ୧୫ତାରିଖରୁ ବ୍ଲକରେ ଧାନ କିଣା ଆରମ୍ଭ ହୋଇଥିଲା। ଏବେ ଅଢେଇ ମାସ ଅତିକ୍ରମ କରିବା ପରେ ୫ହଜାର ୨୨ଜଣ ଚାଷୀ ମାତ୍ର ୨ଲକ୍ଷ ୧୧ହଜାର ୮୬୮କୁଇଣ୍ଟାଲ ଧାନ ବିକିବାକୁ ସକ୍ଷମ ହୋଇଛନ୍ତି। ଏବେ ସୁଦ୍ଧା ୬୦ଭାଗ ଧାନ କିଣାଯାଇ ପାରିଥିବା ବେଳେ ଚାଷୀଙ୍କ ପାଖରେ ଆହୁରି ୪୦ଭାଗ ଧାନ ମହଜୁଦ ଅଛି। ଚଳିତବର୍ଷ ଅନ୍‌ଲାଇନରେ ଯୋଗାଣ ବିଭାଗ ରାଜ୍ୟ ସ୍ତରରୁ ଟୋକନ ଇସ୍ୟୁ କରୁଥିବା ବେଳେ ଚାଷୀମାନେ କମ୍‌ ସୁବିଧା ଏବଂ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ମଝିରେ ମଝିରେ ବର୍ଷା ହେବା ଯୋଗୁ ଧାନକିଣା ବନ୍ଦ ରହିବା ତଥା ମିଲରମାନେ ବିଭିନ୍ନ ଆଳ ଦେଖାଇ ଅନୁପସ୍ଥିତ ରହିବା ଯୋଗୁ ନିର୍ଦ୍ଧାରିତ ତାରିଖରେ ଧାନକିଣା ବନ୍ଦ ରହିଛି। ସେହିଭଳି ନିର୍ଦ୍ଧାରିତ ଦିନଗୁଡିକରେ ଯେଉଁ ଚାଷୀଙ୍କୁ ଟୋକନ ଇସ୍ୟୁ କରାଯାଇଥିଲା ସେମାନେ ଏ ପର୍ଯ୍ୟନ୍ତ ଧାନ ବିକିପାରି ନାହାନ୍ତି। ପୁଣି ଥରେ ଯୋଗାଣ ବିଭାଗ ତରଫରୁ ସେମାନଙ୍କୁ କେବେ ସୁଯୋଗ ମିଳିବ ସେନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ୧୪ଟି ସେବା ସମବାୟ ସମିତି ମଧ୍ୟରୁ କିଛି ସମିତିରେ ମିଲ ମାଲିକମାନେ ୧୧ପ୍ରତିଶତ ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି କରୁଥିବାରୁ ଚାଷୀମାନଙ୍କୁ ମିଳୁଥିବା ଅର୍ଥ ବାହାର ବ୍ୟବସାୟୀଙ୍କଠାରୁ ମିଳୁଥିବା ଅର୍ଥଠାରୁ ମଧ୍ୟ କମ୍‌ ପଡୁଛି। ଏ ବିଷୟରେ ଚାଷୀମାନେ ଜିଲାପାଳ, ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କଠାରେ ବହୁବାର ଅଭିଯୋଗ କରିବା ସତ୍ତ୍ୱେ କିଛି ଫଳ ମିଳୁନି। ମିଲ୍‌ମାଲିକଙ୍କୁ ନାଲି ଆଖି ଦେଖାଇବା ପରିବର୍ତ୍ତେ ଏବେ ମିର୍ଜାପୁର ଭଳି କିଛି ସେବା ସମବାୟ ସମିତିକୁ ଟାର୍ଗେଟ ଦେବା ବନ୍ଦ କରି ଦିଆଯାଇଛି। ତୁରନ୍ତ ଟାର୍ଗେଟ ବଢାଇବାକୁ ବର୍ତ୍ତନା ସମିତି ଅଧୀନ ଚାଷୀ ସୁନନ୍ଦା କୁମାରୀ ଦାସ ଏବଂ ଉମାକାନ୍ତ ପଣ୍ଡା ଦାବି କରିଛନ୍ତି। ସେହିଭଳି ଶ୍ୟାମସୁନ୍ଦରପୁର ଗ୍ରାମର ଚାଷୀ ରତ୍ନାକର ମହାନ୍ତି ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି। ୪ମାସ ଧରି ଟୋକନକୁ ଅପେକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟୋକନ ଆସୁନାହିଁ। ବରଂ ଟୋକନ ନ ଥିବା କେତେକ ଚାଷୀ ସିଧାସଳଖ ମିଲରେ ଧାନ ପକାଇ ଅର୍ଥ ନେଉଥିବା କଥା କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ରବି ନାରାୟଣ ପୃଷ୍ଟିଙ୍କୁ ଯୋଗାଯୋଗ କରିବାରେ ଟାର୍ଗେଟ କିଛି ସମିତିକୁ ଦିଆଯାଇଛି। ଖୁବ୍‌ଶୀଘ୍ର ସବୁ ସମବାୟ ସମିତିକୁ ଅଧିକ ଟାର୍ଗେଟ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

(ରିପୋର୍ଟ: ଉତ୍କଳବନ୍ଧୁ ପଣ୍ଡା)