ଟେଲିକମ୍‌ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍‌ ସଂଯୋଗ ନ କାଟିବାକୁ ଅନୁରୋଧ

ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ମୋବାଇଲ୍‌ ବିଲ୍‌ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଲ୍‌ ପଇଠ ନ କାରିପାରିଲେ ମଧ୍ୟ ସଂଯୋଗ ନ କାଟିବା ପାଇଁ ବୁଧବାର କେନ୍ଦ୍ର ଟେଲିକମ୍‌ ସଚିବ ତଥା ଡିସିସିର ଅଧ୍ୟକ୍ଷ ଅଂଶୁ ପ୍ରକାଶଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରପାଠୀ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଛି। ଫଳସ୍ବରୂପ ଉପଭୋକ୍ତାମାନେ ମୋବାଇଲ୍‌ ଫୋନ୍‌ ରିଚାର୍ଜ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରିଚାର୍ଜ ଭାଉଚର୍‌ ଉପରେ ନିର୍ଭରଶୀଳ ଉପଭୋକ୍ତାମାନେ ଅଧିକ ଅସୁବିଧା ଭୋଗୁଛନ୍ତି। ରିଚାର୍ଜ ନ ହେଲେ ବହୁ ସଂଖ୍ୟାରେ ମୋବାଇଲ୍‌ ଫୋନ୍‌ର ସଂଯୋଗ ବିଚ୍ଛିନ୍ନ ହୋଇଯିବ। କରୋନା ଭୂତାଣୁ ସଂକ୍ରମଣ ଭଳି ଏକ ଜଟିଳ ସମୟରେ ଲୋକମାନେ ସେମାନଙ୍କ ସଂପର୍କୀୟଙ୍କ ସହ ଯୋଗାଯୋଗରୁ ବଞ୍ଚିତ ହେବେ। ଏପରି କି ସରକାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ପ୍ରଭାବିତ ହେବ। ଏଣୁ ବିଲ୍‌ ପଇଠ ନ ହେଲେ କିମ୍ବା ରିଚାର୍ଜ କରି ନ ପାରିଲେ ମଧ୍ୟ ଅନ୍ତତଃ ଆଗାମୀ ୩ ମାସ ପର୍ଯ୍ୟନ୍ତ ସଂଯୋଗ ବିଚ୍ଛିନ ନ କରିବା ପାଇଁ ସମସ୍ତ ଟେଲିକମ୍‌ ସେବା ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଚିଠିରେ ଉଲ୍ଲେଖ କରିଛନ୍ତି।