ଟେନିସ୍‌ ପ୍ରଚାର ପାଇଁ ମିନି ମାରାଥନ

ଯାଜପୁର ଟାଉନ,୪ା୧୨(ଡି.ଏନ୍‌.ଏ.)- ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କେଜିଆଇ) ପ୍ରଚେଷ୍ଟା ଜାରି ରଖିଛି। ଏଥିପାଇଁ ଯାଜପୁର ଜିଲାରେ ମିନି ମାରାଥନ କରି ଖେଳାଳିମାନଙ୍କୁ ସୁଯୋଗ ଦେବାପାଇଁ ଯୋଜନା ଜାରି ରଖିଛି। ମଙ୍ଗଳବାର କେଜିଆଇ୍‌ ତରଫରୁ ଟେନିସ୍‌ ଖେଳ ପାଇଁ ଗଠିତ କେଜିଆଇ ଯାଜପୁର ସୁଟର୍ସ ଦ୍ୱାରା ଆୟୋଜିତ ମିନିମାରାଥନ୍‌ ଦୌଡ଼କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ମିନି ମାରାଥନ ଦୌଡ଼ ସ୍ଥାନୀୟ ଏନ୍‌.ସି କଲେଜଠାରୁ ଆରମ୍ଭ ହୋଇ ବାଳାଶ୍ରମ ପଡ଼ିଆଠାରେ ଶେଷ ହୋଇଥିଲା। ସେଠାରେ କେଜିଆଇ ଯାଜପୁର ସୁଟର୍ସ ଅଧ୍ୟକ୍ଷ ଇଂ. ଆଲେକ୍‌ଜାଣ୍ଡାର ଦାସଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥିଭାବେ ଉପଜିଲାପାଳ ଧଳ, ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଦେବାମୃତ ସାହୁ, ଜିଲା ଦିବ୍ୟାଙ୍ଗ କମିଟି ଅଧ୍ୟକ୍ଷ ମଣ୍ଟୁ ଦାସ ପ୍ରମୁଖ ଯୋଗଦେଇ ଯାଜପୁର ଜିଲାରେ ଟେନିସ ଖେଳର ଉନ୍ନତି ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ମିନି ମାରାଥନ୍‌ ଦୌଡ଼ରେ ମହିଳାଙ୍କ ମଧ୍ୟରୁ ପ୍ରଥମସ୍ଥାନ ଅଧିକାର କରିଥିବା ଅର୍ଚ୍ଚନା ଜେନା, ୨ୟ ସ୍ଥାନ ଅଧିକାର କରିଥିବା ରଞ୍ଜିତା ଦାସ ଓ ୩ୟ ସ୍ଥାନ ପାଇଥିବା ବେବିରାଣୀ ରାଉତ ଓ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଟାଉନ୍‌ର ଗୁଲସନ୍‌ ମହାପାତ୍ର, ୨ୟ ସ୍ଥାନ ଅଧିକାର କରିଥିବା ଯାଜପୁର ଟାଉନ୍‌ର ରମେଶ ପୃଷ୍ଟି ଓ ୩ୟ ସ୍ଥାନ ଅଧିକାର କରିଥିବା ତପନ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଭୂତି ଭୂଷଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।