ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ସୁଆଗି ଜୁଆଙ୍ଗ।
ସୂଚନାନୁଯାୟୀ, ସୁଆଗି ଓ ଫୁଲମଣୀ ଗ୍ରାମ ନିକଟରେ ଥିବା ନୌପଶି ଜଙ୍ଗଲକୁ ଦାନ୍ତକାଠି, ପତ୍ର ଏବଂ କାଠ ସଂଗ୍ରହ ପାଇଁ ସକାଳେ ଯାଇଥିଲେ। ତେବେ ଏକ କାଜୁ ବଗିଚା ଦେଇ ଉଭୟ ଯାଉଥିବା ବେଳେ ସୁଆଗି ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ସୁଆଗିଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ସାଙ୍ଗରେ ଥିବା ଫୁଲମଣୀ ସେଠାରୁ ଦୌଡ଼ି ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ଓ ସୁଆଗୀଙ୍କ ପୁଅ ଆସିବା ପରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ତେବେ କିଛି ଦିନ ଧରି ଗ୍ରାମ ନିକଟ ଜଙ୍ଗଲରେ ଏକ ହାତୀ ପଲ ରହି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଏବେ ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।