ଟଳୁନି ବୈତରଣୀ ସେତୁ ବିପଦ

ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ ଜୁନ୍‌ ମାସ ୧୨ ତାରିଖ ମରାମତି କାର୍ଯ୍ୟ କରାଯାଇଥିଲା। ହେଲେ ଏବେ ବାଲି ମାଫିଆଙ୍କ ପାଇଁ ସେତୁ ଉପରେ ପୁଣି ବିପଦ ମାଡି ଆସିଛି। ସେତୁର ମରାମତି ସମୟରେ ନଦୀ ଗର୍ଭକୁ ହୋଇଥିବା ଅସ୍ଥାୟୀ ରାସ୍ତାର ସୁଯୋଗ ନେଇ ବାଲି ମାଫିଆମାନେ ସେତୁର ଖୁମ୍ବର ଅତି ନିକଟରୁ ବାଲି ଉଠାଣ ସେତୁ ପାଇଁ ବିପଦ ସୃଷ୍ଟି କରିଛି।
ଖୁମ୍ବ ଗୁଡିକର ଅତି ନିକଟରୁ ବାଲି ଉଠାଣ କରି ଖାଲ ସୃଷ୍ଟି କରାଯାଉଥିବାରୁ ସେତୁ ଉପରେ ବିପଦ ମାଡିଆସିଛି। ଏଠାରୁ ବେଆଇନ୍‌ ଭାବେ ବେଧଡକ ବାଲି ଉଠାଣ ଚାଲୁଥିଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ସେତୁର ଠିକ୍‌ ଆରମ୍ଭ ତଥା ରିଙ୍ଗ ରୋଡ ଛକ ଠାରେ ଆନନ୍ଦପୁର ପୋଲିସ ଦ୍ୱାରା ପାଟ୍ରୋଲିଂର ବ୍ୟବସ୍ଥା ଚାଲୁଥିବାବେଳେ ମାତ୍ର ଶହେ ମିଟର ଦୂରରୁ ବାଲି ଉଠାଣ ପୋଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ଧାରର ସୁଯୋଗରେ ଏହି ଚୋରା ବାଲି ଚାଲାଣ ନିୟମିତ ଚାଲୁଥିବାବେଳେ ଏହାକୁ ରୋକିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଦେଉନାହିଁ। ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନଦୀ ଗର୍ଭରେ ଅସ୍ଥାୟୀ ରାସ୍ତାକୁ ଖୁବ୍‌ ଶିଘ୍ର ହଟାଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ଅଧିକାରୀ ସମୀର ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ କହିଛନ୍ତି ଯେ, ବାଲି ଚୋରା ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି।