Categories: ଜାତୀୟ

ଟଳିବ ମହାରାଷ୍ଟ୍ର ସଙ୍କଟ: ଶିବସେନା ନେତୃତ୍ୱରେ ସରକାର ଗଠନ ପାଇଁ ଏନ୍‌ସିପି-କଂଗ୍ରେସ ରାଜି

ନୂଆଦିଲ୍ଲୀ,୨୧।୧୧(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦ ପ୍ରଥମ ଅଢ଼େଇବର୍ଷ ଶିବସେନା ଓ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପାଖରେ ରହିବ। କଂଗ୍ରେସରୁ ଜଣେ ପୂରା ୫ ବର୍ଷ ଉପମୁଖ୍ୟମନ୍ତ୍ରୀ ହେବେ। ବୁଧବାର ଏଭଳି ହିସାବ ଛିଣ୍ଡିଛି ଏନ୍‌ସିପି-କଂଗ୍ରେସ ବୈଠକ ପରେ। ସରକାର ଗଠନ ନେଇ ଗୁରୁବାର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ବିଳମ୍ବିତ ରାତିରେ ସୂତ୍ରରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସାକ୍ଷାତ ବୁଧବାର ଜାତୀୟ ରାଜନୀତିରେ ନାନା ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ମହାରାଷ୍ଟ୍ର ପାଇଁ ମଧ୍ୟ ନିଆଯାଉଥିଲା ଚୂଡ଼ାନ୍ତ ନିଷ୍ପତ୍ତି। ପାଓ୍ବାରଙ୍କ ବାସଭବନରେ ଏନ୍‌ସିପି ଏବଂ କଂଗ୍ରେସର ପୁରୁଖା ନେତାମାନେ ବୈଠକ କରିଥିଲେ। ପ୍ରାୟ ୨୦୦ ମିନିଟର ଆଲୋଚନା ପରେ ଛିଣ୍ଡିଥିଲା ହିସାବ। ଶିବସେନା ଓ ଏନ୍‌ସିପି ମୁଖ୍ୟମନ୍ତ୍ରୀ ପଦକୁ ପାଳିକରି ଅଢେଇବର୍ଷ ଲେଖାଏ ପାଖରେ ରଖିବେ। ୨୮୮ ଆସନ ବିଶିଷ୍ଟ ବିଧାନସଭାର ପ୍ରତି ୪ ବିଧାୟକରେ ଜଣେ ମନ୍ତ୍ରୀ ସୂତ୍ର ଆପଣାଯିବ। କଂଗ୍ରେସକୁ ୧୧ଟି ମନ୍ତ୍ରୀ ସହ ବାଚସ୍ପତି ପଦ ମିଳିବ। ଅବଶିଷ୍ଟ ମନ୍ତ୍ରୀପଦ ଶିବସେନା-ଏନ୍‌ସିପି ଭାଗକରି ନେବେ। ଏହି ଅବସରରେ ଜଣେ ବରିଷ୍ଠ ଏନ୍‌ସିପି ନେତା କହିଛନ୍ତି, ଶିବସେନା ଓ ଭାଜପା ମଧ୍ୟରେ ବିବାଦର ବିନ୍ଦୁ ଥିଲା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ। ତେଣୁ ଶିବସେନାକୁ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବାର ପ୍ରଶ୍ନ ଉଠୁନାହିଁ। ଶିବସେନା ନେତା ସଞ୍ଜୟ ରାଉତ୍‌ ଗଣମାଧ୍ୟମକୁ କହିଛନ୍ତି, ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଦଳରୁ ହିଁ ମୁଖ୍ୟମନ୍ତ୍ରୀ ହେବେ। ତେବେ ପୂରା ୫ ବର୍ଷ କି ବୋଲି ଖବରଦାତାଙ୍କ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ। ଶିବସେନା (୫୬) ଓ ଏନ୍‌ସିପି (୫୪) ମଧ୍ୟରେ ବେଶି ଆସନର ଫରକ ନାହିଁ। ଏଥିଯୋଗୁ ପାଓ୍ବାରଙ୍କ ବିଧାୟକମାନେ ଶିବସେନାକୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମଙ୍ଗୁ ନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୈଠକରେ କିଛି ଆଲୋଚନା ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ-ଏନ୍‌ସପିର ପରବର୍ତ୍ତୀ ମିଳିତ ବୈଠକକୁ ଶିବସେନାକୁ ମଧ୍ୟ ଡକାଯିବ ବୋଲି ସୂତ୍ରରୁ ପ୍ରକାଶ।

Share