ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ

ଭୁବନେଶ୍ୱର,୫-୨(ବ୍ୟୁରୋ):ଭୁବନେଶ୍ୱରର ଗାୟତ୍ରୀ ମାଭୁରୁ ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ କରି ଓ୍ବାର୍ଲଡ ରେକର୍ଡସ ଇଣ୍ଡିଆ (ଡବ୍ଲ୍ୟୁଆର୍‌ଆଇ)ରେ ସ୍ଥାନ ପାଇଛନ୍ତି। କଏନ୍‌ରେ ଏକାଧିକ ନିଆରା ତଥା ଭିନ୍ନ କ୍ଷୁଦ୍ର ଚିତ୍ରକଳାମାନ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ବଜାରକୁ ନୂଆ ଆସିଥିବା ଟଙ୍କିକିଆ ମୁଦ୍ରାର ଉପର ପାର୍ଶ୍ୱକୁ ଛୋଟ କାନ୍‌ଭାସ୍‌ ଭାବେ ବ୍ୟବହାର କରି ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରିଥିବାବେଳେ ଏଥିରେ ସେ ଆକ୍ରିଲିକ୍‌ ପେଣ୍ଟିଂ କରିଥିଲେ। ଏହି ହାତତିଆରି ପୋଟ୍ରେଟ୍‌ ମାତ୍ର ୨୦ମିମି ବ୍ୟାସ ବିଶିଷ୍ଟ ହୋଇଥିବାରୁ ସେ ଏହି ବିରଳ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି।
ବହୁମୁଖୀ ପ୍ରତିଭାର ଅଧିକାରିଣୀ ଗାୟତ୍ରୀ ଏକାଧାରାରେ ଜଣେ ଚିତ୍ରଶିଳ୍ପୀ, କବି, ଶିକ୍ଷାବିତ୍‌, ସାମାଜିକ କର୍ମୀ ଓ ଉଦ୍ୟୋଗୀ। ସେ ଏକାସଙ୍ଗେ ୧୦ ଭିନ୍ନ ଭିନ୍ନ ସିରିଜରେ ମୋଟ ୧୦୦ କଏନକୁ ଚିତ୍ରିତ କରିଛନ୍ତି। ପ୍ରଭୁ ଶ୍ରୀଗଣେଶ, ଗୌତମ ବୁଦ୍ଧ, ବନ୍ଦ କବାଟ, ଫୁଲ, ସୂର୍ଯ୍ୟଦେବ, ଗ୍ରହ ଓ ଉପଗ୍ରହ, ପ୍ରଜାପତି, ନୌକା ଓ ଜାହାଜ, କୋଇ ଫିସ୍‌, ସିସ୍କେପ୍‌ସ, ସିନେରୀ ଆଦି ସିରିଜ ଉପରେ ସେ ଏହି ଚିତ୍ରକଳା କରିଥିଲେ। ତେବେ ୧୦୦ କଏନ୍‌କୁ ଚିତ୍ରିତ କରିବା ପାଇଁ ଗାୟତ୍ରୀଙ୍କୁ ପ୍ରାୟ ୧୦୦ ଘଣ୍ଟା ସମୟ ଲାଗିଥିଲା। ଜାନୁୟାରୀରେ ସେ ଏହି ଓ୍ବାର୍ଲଡ୍‌ ରେକର୍ଡ ହାସଲ କରିବାରେ ସଫଳ ହୋଇଥିଲେ। ଅନ୍ୟପଟେ ଗାୟତ୍ରୀ ବିଭିନ୍ନ ସାମାଜିକ କାମରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି। ଗରିବ ଘରର ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ପାଇଁ ସେ ନିଜସ୍ବ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାସହ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ସେ କାର୍ଯ୍ୟ କରୁଛନ୍ତି।