ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ

କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନେ ଏଥିଯୋଗୁ ଅଧିକ ହଇରାଣ ହେଉଛନ୍ତି। ଏଭଳି ଜଣେ ଭିନ୍ନକ୍ଷମ ଯୁବକ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ପ୍ରାୟ ୩୦ କି.ମି ରାସ୍ତାରେ ଘୁଷୁରି ଘୁଷୁରି ଯିବା ଘଟଣା କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସେ ହେଲେ ସାଗର ମୁଣ୍ଡା(୨୪)। ଘର ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ।
ସାଗର ପିଲାଦିନରୁ ଭିନ୍ନକ୍ଷମ। ତାଙ୍କୁ ସରକାରୀ ଭତ୍ତା ମିଳୁଛି। ହେଲେ ଚଳପ୍ରଚଳ କରିବାକୁ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ ସାଇକେଲଟିଏ ମିଳିନାହିଁ। ସେହିପରି ରହିବାକୁ ପକ୍କା ଘର ଟିଏ ମିଳିନାହିଁ। ଗ୍ରାମରେ ଏଟିଏମ୍‌ ସୁବିଧା ନ ଥିବାରୁ ରବିବାର କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଗ୍ରାମରେ ରହୁଥିବା ତାଙ୍କ ମାମୁଁ ଘରକୁ ଆସି ସେଠାରୁ ପଦ୍ମପୁରକୁ ଯାଇ ଏଟିଏମରୁ ଟଙ୍କା ଉଠାଇଥିବା ସାଗର ପ୍ରକାଶ କରିଛନ୍ତି। ସେ ଘୁଷୁରି ଘୁଷୁରି କଲଣ୍ଡା ଦେଇ ଯାଉଥିବାବେଳେ ସ୍ଥାନୀୟ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ, ଯୁଧିଷ୍ଠିର ମହାନ୍ତ ଦେଖି ତାଙ୍କୁ ଅଟକାଇ ବାଇକରେ ଆଣି ମାମୁଁ ଘରେ ଛାଡିଥିଲେ। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।