Categories: ରାଜ୍ୟ

ଝୁଣ୍ଟିଛି ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା: ଆବଣ୍ଟନଗ୍ରାହୀଙ୍କୁ ମିଳୁନି ଘର

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ମହିଷାପାଟ ନିକଟରେ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନାରେ ଘର ନିର୍ମାଣ କରାଯାଉଛି। ହେଲେ ପ୍ରଥମ ପର୍ଯ୍ୟାୟ ଆବଣ୍ଟନଗ୍ରାହୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଘର ହସ୍ତାନ୍ତର କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ସେମାନେ ବିଭାଗୀୟ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ପ୍ରକଳ୍ପ ଅଧୀନରେ ୩୯ ଏଚ୍‌ଆଇଜି, ୭୪ ଏମ୍‌ଆଇଜି ଏବଂ ୪୬ ଏଲ୍‌ଆଇଜି ଘର ବିକ୍ରି ଲାଗି ୨୦୧୧ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବୋର୍ଡର ଦାବି ଅନୁଯାୟୀ ଘର କିଣିବାକୁ ଇଚ୍ଛୁକ ଲୋକେ ୨୦୧୪ ସେପ୍ଟେମ୍ବର ସୁଦ୍ଧା ୬ କିସ୍ତିରେ ସମସ୍ତ ଟଙ୍କା ଦେଇଥିଲେ। ସର୍ତ୍ତ ଅନୁଯାୟୀ ୨୦୧୪ରେ ଉକ୍ତ ବାସଗୃହ ହସ୍ତାନ୍ତର କରାଯିବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାଠାରୁ ୫ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ଘର ହସ୍ତାନ୍ତର ମଧ୍ୟ କରାଯାଉନାହିଁ କିମ୍ବା କାର୍ଯ୍ୟର ସ୍ଥିତି ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ଏଥିରେ ନିରାଶ ହୋଇ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ଏବଂ ସଚିବଙ୍କୁ ବାରମ୍ବାର ଭେଟି ଫେରାଦ ହୋଇଥିଲେ। ଏହାପରେ ଗୃହ ନିର୍ମାଣ ସଂସ୍ଥା ପୁଣି ୨୦ରୁ ୨୨ ପ୍ରତିଶତ ଅଧିକ ଅର୍ଥ ଦାବି କରୁଛି। ଏଥିରେ ୧୪.୪୫% ଅଗ୍ରିମ ସୁଧ କଷିଛି। ନିର୍ଦ୍ଧାରିତ ସମୟର ୫ବର୍ଷ ପରେ ଘର ଦିଆ ନ ଯିବା ଏବଂ ପୁଣି ଥରେ ମୂଲ୍ୟ ବୃଦ୍ଧି କରାଯିବାକୁ ନାପସନ୍ଦ କରିଛନ୍ତି ଆବଣ୍ଟନଗ୍ରାହୀ। ଏ ନେଇ ସେମାନେ ବାଜି ରାଉତ ଆବାସିକ ସଂଘ ନାମକ ଏକ ସଙ୍ଗଠନ ଗଠନ କରି ଭୁବନେଶ୍ୱର ଖାରବେଳନଗରସ୍ଥିତ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗୃହ ନିର୍ମାଣକାରୀ ସଂସ୍ଥାର ତ୍ରୁଟି ପାଇଁ ଆବଣ୍ଟନଗ୍ରାହୀ କାହିଁକି ଦଣ୍ଡ ଭୋଗିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଘର ହସ୍ତାନ୍ତର କରିବାକୁ ସଚିବଙ୍କ ନିକଟରେ ଦାବି କରାଯାଇଥିବା ସଂଘ ସଭାପତି ଗୋପାଳ ଚନ୍ଦ୍ର ସାହୁ ଏବଂ ସମ୍ପାଦକ ରୋହିତ ଦାସ କହିଛନ୍ତି।