ଝିଅ ଶାଶୁଘରେ ପଶି ଜ୍ୱାଇଁଙ୍କୁ ମାଡ଼, ସ୍ତ୍ରୀଙ୍କ ସମେତ ୪ ଅଟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବହରମ୍‌ପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତ କଳାକାତ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଘର ଲୋକଙ୍କ ମାଡ଼ରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତର ଜ୍ୱାଇଁ ହେଲେ ପୁରୁଷୋତ୍ତମ ସଙ୍କ ପୁଅ ମୁକ୍ତିକାନ୍ତ। ତାଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ୭ ବର୍ଷ ତଳେ ମୁକ୍ତିକାନ୍ତ ନୀଳଗିରି ଥାନା ଅଧୀନ ଖୁଣ୍ଟଣା ଗ୍ରାମର ଦୟାନିଧି ଜେନାଙ୍କ ଝିଅ ଜ୍ୟୋତିର୍ମୟୀଙ୍କୁ ବିବାହ କରିଥିଲେ। ସେମାନଙ୍କର ମଧ୍ୟ ଏକ କନ୍ୟା ସନ୍ତାନ ଅଛି। ତେବେ ପାରିବାରିକ ସମସ୍ୟାକୁ ନେଇ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ସନ୍ଧ୍ୟାରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ମୁକ୍ତିକାନ୍ତଙ୍କ ସ୍ତ୍ରୀ ତାଙ୍କ ମା’ ଭାନୁମତୀଙ୍କୁ ଜଣାଇଥିଲେ। ପରେ ଶାଶୁ, ଶ୍ୱଶୁର ଓ ଶଳା ଜ୍ୟୋତି ଜ୍ୟୋତିର୍ମୟୀଙ୍କ ଶାଶୁଘରେ ପହଞ୍ଚି ମୁକ୍ତିକାନ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରିବାର ଲୋକେ ଓ ପଡ଼ୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ଖବର ଦେଇଥିଲେ। ପୋଲିସ ଏହି ଘଟଣାରେ ଶାଶୁ, ଶ୍ୱଶୁର ଓ ଶଳାଙ୍କ ସମେତ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।