ଝାନ୍‌ସୀରେ ବିବାହ ଦେବାକୁ ମା’ବାପା ନେଇଥିଲେ ନିଷ୍ପତ୍ତି: ଘର ଛାଡ଼ିଥିବା ଦୁଇ ନାବାଳିକା ଭଉଣୀ ଉଦ୍ଧାର

ରଣପୁର,୨୯।୯(ସ୍ବ.ପ୍ର.)-ଦୁଇ ନାବାଳିକା ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ବାପା କଥା ହେଉଥିଲେ। ଏହା ଶୁଣି ଭୟଭୀତ ହୋଇଯାଇଥିଲେ ୨ ଝିଅ। ତେଣୁ ଘର ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇ ଘରୁ ପଳାଇଥିଲେ ୨ଭଉଣୀ। ବହୁ ଖୋଜାଖୋଜି ପରେ ଦୁଇ ନାବାଳିକା ଭଉଣୀଙ୍କୁ ରଣପୁର ଥାନା ପୋଲିସ ଶୁକ୍ରବାର ସୁନାଖଳାରୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ଦୁଇ ଭଉଣୀଙ୍କୁ ଘରକୁ ଛଡା ନ ଯାଇ ଶନିବାର ନୟାଗଡ ସେଲ୍‌ଟର ହୋମକୁ ପଠାଯାଇଛି।

ପୋଲିସ ସୂଚନା ଅନୁସାରେ, ବ୍ରଜରାଜପୁର ଅଞ୍ଚଳର ଏକ ଦରିଦ୍ର ପରିବାରର ୧୭ବର୍ଷୀୟା ବଡ଼ ଭଉଣୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବାବେଳେ ୧୫ବର୍ଷୀୟା ସାନ ଭଉଣୀ ଅର୍ଥାଭାବରୁ ମାଟ୍ରିକ ପାସ୍‌ କରି ଘରେ ରହିଥିଲେ । ଦୁଇ ନାବାଳିକା ଝିଅଙ୍କୁ ଅର୍ଥ ବିନିମୟରେ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ ବାପା କଥାବାର୍ତ୍ତା ହେଉଥିଲେ । ମା’ ବାପାଙ୍କ କଥା ଶୁଣି ଡରି ଯିବା ସହ ବିତୃଷ୍ଣାଭାବ ପ୍ରକାଶ କରିଥିଲେ ସେମାନେ । ଫଳରେ ଗତ ୨୨ ତାରିଖ ରାତିରେ ଦୁଇ ଭଉଣୀ ଘର ଛାଡିଥିଲେ । ମା’ବାପା ଝିଅ ୨ଜଣଙ୍କୁ ଖୋଜାଖୋଜି କରିବା ପରେ ନ ପାଇବାରୁ ରଣପୁର ଥାନାରେ ଗତ ୨୫ ତାରିଖରେ ଅଭିଯୋଗ କରିଥିଲେ । ଦୁଇ ନାବାଳିକା ଝିଅଙ୍କୁ ଅପହରଣ କରାଯାଇଥିବା ଏତଲାରେ ଦର୍ଶାଇଥିଲେ । ପୋଲିସ ୨୦୦/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ନୟାଗଡ ଏସ୍‌ପି ଶଶିଭୂଷଣ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ରଶ୍ମିରଞ୍ଜନ ଦାସ ଘଟଣାର ତଦନ୍ତ ଚଳାଇଥିଲେ । ପରେ ଆଇଆଇସି ଦାସ, ସବ୍‌ଇନ୍ସପେକ୍ଟର ବିଦିତା ନାୟକଙ୍କ ନେତୃତ୍ୱରେ ଦୁଇ ନାବାଳିକା ଭଉଣୀଙ୍କୁ ସୁନାଖଳାରୁ ଶୁକ୍ରବାର ଉଦ୍ଧାର କରାଯାଇ ଡାକ୍ତରୀ ମାଇନା କରାଯାଇଥିଲା । ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଦୁଇ ଭଉଣୀ ନିଜ ପକ୍ଷ ରଖି ଘରକୁ ଯିବେ ନାହିଁ ବୋଲି କହିଥିଲେ । କୋର୍ଟ ଦୁଇ ଭଉଣୀଙ୍କ କଥାକୁ ଗୁରୁତ୍ୱ ଦେଇ ନୟାଗଡ ସେଲ୍‌ଟର ହୋମକୁ ପଠାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଝାନ୍‌ସୀରେ ଝିଅ ବିଭାଦେଲେ ମିଳୁଛି ଟଙ୍କା
ଝାନ୍‌ସୀରେ ଝିଅ ବିଭା ଦେଲେ ମା’ବାପାଙ୍କୁ ବହୁତ ଟଙ୍କା ମିଳିଥାଏ । ଦୁଇ ନାବାଳିକାଙ୍କ ମା’ବାପା ମଧ୍ୟ ଟଙ୍କା ଲୋଭରେ ଦୁଇ ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବାକୁ ସମ୍ମତି ଜଣାଇଥିଲେ । କାରଣ ସେମାନେ ଏକ ଗରିବ ପରିବାର ସଦସ୍ୟ। ରୋଜଗାର ଭଲ ନ ଥିବାରୁ ଦୁଇଓଳି ଖାଇଲେ ଗୋଟିଏ ଓଳି ଉପବାସ ରହିବାକୁ ପଡେ ସେମାନଙ୍କୁ । ଅର୍ଥାଭାବରୁ ସାନ ଝିଅକୁ ପାଠ ପଢ଼େଇ ପାରିଲେ ନାହିଁ । ବଡ ଝିଅକୁ ବହୁ କଷ୍ଟରେ କଲେଜ ପଢ଼ାଉ ଥିଲେ । ଝିଅମାନଙ୍କୁ ବିବାହ ଦେବାକୁ ସେମାନଙ୍କ ପାଖରେ ସମ୍ବଳ ନ ଥିଲା । ବନ୍ଧୁବାନ୍ଧବଙ୍କ ସହଯୋଗ ମଧ୍ୟ ସେଭଳି ମିଳି ନ ଥାନ୍ତା। ଏଣୁ ବିବାହ ବୟସ ପୂର୍ବରୁ ତରବରିଆ ଭାବେ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ସେମାନେ। ଏଥିପାଇଁ ଗଁାର ଏକ ଦଲାଲଙ୍କ ସହ କଥାବାର୍ତ୍ତା ଶେଷ ହୋଇଥିଲା । ଦୁଇ ଝିଅଙ୍କୁ ବିବାହ ଦେଇ ସେଇ ଟଙ୍କାରେ କିଛିଦିନ ଚଳିବାକୁ ନିଷ୍ପତ୍ତି ନେଇଥିଲେ ମା’ବାପା । ଅନ୍ୟପକ୍ଷେ ଝାନ୍‌ସୀରେ ରଣପୁର ଅଞ୍ଚଳର ବହୁ ଝିଅ ବିବାହ କରିଛନ୍ତି। ହେଲେ ସବୁ ଘଟଣା ଲୋକ ଲୋଚନକୁ ଆସିପାରୁନି । ଦାରିଦ୍ୟର ତାଡନା ଯୋଗୁ ଅନେକ ମା’ବାପା ଏପରି ନିଷ୍ପତ୍ତି ନେଉଥିବା ବେଳେ ପରିସ୍ଥିତିରେ ପଡି ବାଧ୍ୟ ହୋଇ ବହୁ ଝିଅ ମା’ବାପାଙ୍କ କଥାକୁ ମୁଣ୍ଡପାତି ସହି ଯାଉଛନ୍ତି । ହେଲେ ସମ୍ପୃକ୍ତ ଦୁଇ ଝିଅ ବିବାହକୁ ପ୍ରତିବାଦ କରିବା ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି। ଝିଅମାନଙ୍କୁ ଝାନ୍‌ସୀ ଚାଲାଣ ଘଟଣା ଲୋକଲୋଚନକୁ ଆସିପାରିଛି। ଏ ଦିଗରେ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।