Categories: ଜାତୀୟ

ଝାଡ଼ଖଣ୍ଡରେ ୬୩% ମତଦାନ: ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ରାଞ୍ଚି, ୩୦ା୧୧ : ଝାଡ଼ଖଣ୍ଡ ବିଧାନସଭା ଲାଗି ହେଉଥିବା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ମତଦାନ ହାର ୬୨.୮୭ ପ୍ରତିଶତ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ ଜିଲାରେ ୧୩ ଆସନ(ଛତ୍‌ରା, ଗୁମ୍‌ଲା, ବିଶ୍ରାମପୁର, ଲୋହାରଡ଼ାଗା, ମାନିକା, ଲଟେହାର, ପାନ୍‌କି, ଡାଲ୍‌ଟନ୍‌ଗଞ୍ଜ, ବିଶୁନ୍‌ପୁର, ଛତର୍‌ପୁର, ହୁସେନାବାଦ୍‌, ଗର୍‌ଓ୍ବା ଓ ଭଓ୍ବନାଥପୁର) ଲାଗି ଭୋଟଗ୍ରହଣ କରାଯାଇଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିଥିଲା। ୩ଟା ସୁଦ୍ଧା ଭୋଟଗ୍ରହଣ ଶେଷ ହୋଇଥିଲେ ହେଁ ବୁଥ ଭିତରେ ରହିଥିବା ଭୋଟରଙ୍କୁ ମତଦାନ ଲାଗି ସୁଯୋଗ ଦିଆଯାଇଥିବାରୁ ଭୋଟହାର ବଢ଼ିବାର ସମ୍ଭାବନା ରହିଛି।
ମତଦାନ ବେଳେ ମାଓବାଦୀମାନେ ଗୁମ୍‌ଲା ଜିଲା ବିଶୁନ୍‌ପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନଲତା ଓ ବିରନ୍‌ପୁର ଗ୍ରାମ ମଝିରେ ଥିବା ଜଙ୍ଗଲାଞ୍ଚଳ ନିକଟ ଏକ କଲଭର୍ଟକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେଇଥିବା ପୋଲିସ ଏଡିଜି ମୁରାରୀଲାଲ୍‌ ମୀନା ପ୍ରକାଶ କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ସେହିଭଳି ଡାଲ୍‌ଟନ୍‌ଗଞ୍ଜ ନିର୍ବାଚନମଣ୍ଡଳୀର କୋଶିୟାରୀ ପୋଲିଂ ଷ୍ଟେଶନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। କଂଗ୍ରେସ ପ୍ରାର୍ଥୀ କେ.ଏନ୍‌. ତ୍ରିପାଠୀ ବଳପୂର୍ବକ ପୋଲିଂ ବୁଥ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଗାଡ଼ିର ଓ୍ବିଣ୍ଡୋ ପେନ୍ସକୁ ଭାଙ୍ଗିଦେଇଥିଲେ। ତ୍ରିପାଠୀଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ ଓ ୩ କାଟ୍ରିଜ୍‌ ଜବତ କରିଥିବା ପ୍ରକାଶ। ଏହାପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା। ତେବେ ମୋଟାମୋଟି ୧୩ ନିର୍ବାଚନମଣ୍ଡଳୀରେ ଭୋଟ ଶାନ୍ତିପୂର୍ଣ୍ଣ ଥିବା କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାଜପା ନେତା ରାମଚନ୍ଦ୍ର ଚନ୍ଦ୍ରବଂଶୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାମେଶ୍ୱର ଓରାଅନ୍‌, ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ଶୁଖ୍‌ଦେଓ ଭଗତ୍‌, ଭାଜପା ନେତା ରାଧାକ୍ରିଷ୍ଣ କିଶୋର ପ୍ରମୁଖ ଭାଗ୍ୟ ନିର୍ଦ୍ଧାରଣ ହେବ। ୮୧ ଆସନବିଶିଷ୍ଟ ରାଜ୍ୟ ବିଧାନସଭା ଲାଗି ଅନ୍ୟ ୪ ପର୍ଯ୍ୟାୟ ଭୋଟ ଆସନା ୭, ୧୨, ୧୬ ଓ ୨୦ରେ ଅନୁଷ୍ଠିତ ହେବ।

Share