ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ

ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ, ନବରଙ୍ଗପୁର ଜିଲା ବାଣୁଆଗୁଡ଼ା ପଞ୍ଚାୟତ ପଲସଗାଁର କିଛି ଯୁବକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାକୁ ଯାଇଥିଲେ। ସେଠାରେ କିଛିଦିନ କାମ କରିବା ପରେ କରୋନା ଭୟରେ ନିଜ ଗାଁକୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଯୁବକ ଫେରିଥିଲେ। ଗ୍ରାମରେ ଉକ୍ତ ଯୁବକ ଦ୍ୱୟଙ୍କୁ ପ୍ରବେଶ କରିବାକୁ ଗ୍ରାମବାସୀ ବାରଣ କରିବା ସହ ତୁରନ୍ତ ମେଡିକାଲ ଯାଇ ଚିକିତ୍ସା କରାଇବାକୁ କହିଥିଲେ। ଏହାପରେ ସଂପୃକ୍ତ ଯୁବକ ଦ୍ୱୟ ପଲସଗାଁରେ ନ ରହି ଗୁରୁସିଙ୍ଗା ପଞ୍ଚାୟତ ନୂଆଗାଁ ଗ୍ରାମକୁ ଚାଲିଯାଇଥିଲେ। ସକାଳୁ ଖବର ପାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୋମା ଦାଶ, ଡାକ୍ତର ସନ୍ତୋଷ କୁମାର ପ୍ରଧାନ ପ୍ରଥମେ ନୂଆଗାଁକୁ ଯାଇଥିଲେ, କିନ୍ତୁ ସେଠାରେ ସେହି ଯୁବକ ଦ୍ୱୟ ନ ଥିଲେ। ଏହାପରେ ଡାକ୍ତରୀ ଦଳ ପଲସଗାଁକୁ ଯାଇ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଯୁବକଙ୍କୁ ଡକାଇ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଛନ୍ତି। ମାତ୍ର ସେମାନଙ୍କ ନିକଟରେ କରୋନା ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ଡାକ୍ତର ସୋମା ଦାଶ ପ୍ରକାଶ କରିଛନ୍ତି।