ଜ୍ୱର, ବାନ୍ତିରେ ୩୭ ଛାତ୍ରୀଛାତ୍ର ଆକ୍ରାନ୍ତ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବର୍ଦ୍ଧନପୁର ପଞ୍ଚାୟତ ନିଧିପଡ଼ା ଗ୍ରାମରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ନିଧିପଡ଼ା ସେବାଶ୍ରମ ସ୍କୁଲ୍‌ର ୩୭ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଏକକାଳୀନ ଜ୍ୱର ଓ ବାନ୍ତି ହୋଇଥିଲା। ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ସେବାଶ୍ରମରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ରଖାଯାଇ ସେମାନଙ୍କ ଲାଗି ମାଗଣା ଖାଦ୍ୟ, ପୋଷାକ ଏବଂ ଶିକ୍ଷା ବ୍ୟବସ୍ଥା କରାଯାଇଛି। ସବୁଦିନ ପରି ସୋମବାର ମଧ୍ୟାହ୍ନରେ ସେମାନଙ୍କୁ ଭାତ, ତରକାରି ଖାଇବାକୁ ଦିଆଯାଇଥିଲା। ରାତିରେ ସମସ୍ତେ ଚୂଡା ଖାଇ ଶୋଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଏକାଧିକ ପିଲାଙ୍କୁ ଜ୍ୱର ହେବା ସହିତ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଧୀରେ ଧୀରେ ଅଧିକରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଜ୍ୱର ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ମଣିସିଂ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଡାକ୍ତରଖାନାରେ ପହଞ୍ଚତ୍ ପିଲାମାନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେବାପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଫକୀରମୋହନ ସରକାରୀ ମେଡ଼ିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର ଘୋଷ ଉକ୍ତ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟକ୍ଷ ଭାବରେ ଚିକିତ୍ସା କରିଥିଲେ। ଡା. ଘୋଷଙ୍କ କହିବା ଅନୁସାରେ, ପିଲାମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ହେବାରୁ ଭାଇରାଲ ଜ୍ୱର ହୋଇଛି। ଖୁବଶୀଘ୍ର ପିଲାମାନେ ସୁସ୍ଥ ହୋଇଯିବେ।