ଜ୍ଞାନକୁ ସ୍କୁଲ ବହିରେ ସୀମିତ ରଖ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଜୀବନରେ ସମସ୍ୟା ନିଶ୍ଚିତ ରହିବ। କିନ୍ତୁ ତାକୁ ସାହସର ସହିତ ମୁକାବିଲା କରିବାକୁ ପଡ଼ିବ। ଆତ୍ମବିଶ୍ୱାସ ଓ ସକାରାତ୍ମକ ମନୋଭାବ ନେଇ କାମ କଲେ ସଫଳତା ନିଶ୍ଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଶନିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ କହିଲେ, ଆଜିକାଲି ହେଉଛି ଜ୍ଞାନ ଯୁଗ। ତେଣୁ ସବୁବେଳେ ଜ୍ଞାନ ଉପରେ ଅପ୍‌ଡେଟ୍‌ ରୁହ। ତୁମ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖ ନାହିଁ। କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, କଳା, ସମାଜସେବା ଯାହା ତୁମକୁ ଭଲ ଲାଗୁଛି, ସେଥିରେ ଉତ୍କର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କର। ଶିକ୍ଷାର କୌଣସି ବିକଳ୍ପ ନାହିଁ। ତେଣୁ ପାଠପଢ଼ା ଜାରି ରଖ। ସବୁଦିନ ନିଜେ ସ୍କୁଲ ଆସିବା ସହିତ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କର। ଭବିଷ୍ୟତରେ ଭଲ ମଣିଷ ହେବାକୁ ଚେଷ୍ଟା କର। ମା’ ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।

ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପିଲାମାନେ ତୁମେ ହେଉଛ ଦେଶର ଭବିଷ୍ୟତ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ପାଠପଢ଼ ଏବଂ ତାକୁ ସାକାର କରିବା ପାଇଁ ପ୍ରାଣପଣେ ଚେଷ୍ଟା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଧ୍ୟକ୍ଷତା କରି କହିଲେ, ଓଡ଼ିଶାକୁ ଶିକ୍ଷା ହବ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହେଉଛି। ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଆମ ଓଡ଼ିଶାରେ ରହିଛି। ରାଜ୍ୟ ତଥା ଦେଶ ବାହାରୁ ପିଲାମାନେ ଆସି ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବାଧିକ ଶିକ୍ଷା ବଜେଟ୍‌ କରାଯାଉଛି ବୋଲି ମନ୍ତ୍ରୀ ଦାସ କହିଛନ୍ତି। ବିଭାଗୀୟ ସଚିବ ଚିତ୍ରା ଅରମୁଗମ୍‌ ସ୍ବାଗତ ଭାଷଣ ଓ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ପିଲାଙ୍କର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ, ଶିଶୁ ଦିବସରୁ ଚାଲିଥିବା ଏହି ତିନିଦିନିଆ ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩ହଜାର ଛାତ୍ରୀଛାତ୍ର ଯୋଗଦେଇଥିଲେ।