ଜୋନ୍‌ ଅନୁଯାୟୀ ଖୋଲିବ ନିମ୍ନ ଅଦାଲତ: ରେଡ୍‌ରେ ଘଣ୍ଟାଏ, ଅରେଞ୍ଜରେ ଦୁଇ, ଗ୍ରୀନ୍‌ରେ ଅଢ଼େଇ ଘଣ୍ଟା

କଟକ ଅଫିସ,୪ା୫: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ତେବେ ଭୂତାଣୁର ପ୍ରଭାବ ଅନୁଯାୟୀ ୩ଟି ଜୋନ୍‌ରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ରେଡ୍‌ ଜୋନ୍‌ରେ ୧ ଘଣ୍ଟା, ଅରେଞ୍ଜ ଜୋନ୍‌ରେ ଦୁଇଘଣ୍ଟା ଏବଂ ଗ୍ରୀନ୍‌ ଜୋନ୍‌ରେ ଅଢ଼େଇ ଘଣ୍ଟା କୋର୍ଟ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ସ୍ବତନ୍ତ୍ର ଅଧିକାରୀ(ସ୍ବତନ୍ତ୍ର) ସେଲ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଅରେଞ୍ଜ ଜୋନ୍‌ରେ ଥିବା ଅଞ୍ଚଳଗୁଡ଼ିକରେ ନିମ୍ନ କୋର୍ଟ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଯେଉଁଠି ସକାଳୁଆ ଅଫିସ ବ୍ୟବସ୍ଥା ନାହିଁ, ଯଥା ବ୍ରହ୍ମପୁର, ଛତ୍ରପୁର, କୋରାପୁଟ(ସଦର) ଏବଂ ପୁରୀ(ସଦର)ରେ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ସେହିଭଳି ଗ୍ରୀନ୍‌ ଜୋନ୍‌ରେ ଥିବା କୋର୍ଟଗୁଡ଼ିକ ନିୟମିତ କାର୍ଯ୍ୟାଳୟ ସମୟ ଠାରୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଦି କୌଣସି ଅଞ୍ଚଳର ଜୋନ୍‌ ଘୋଷଣାରେ ପରିବର୍ତ୍ତନ ହୁଏ, ତେବେ ତଦନୁଯାୟୀ କୋର୍ଟ ସମୟ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ସେହିଭଳି ରାଜ୍ୟ ସରକାର ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରନ୍ତି, ତେବେ ସେହି ଅଞ୍ଚଳରେ ଥିବା କୋର୍ଟକୁ ବନ୍ଦ କରିବାର କ୍ଷମତା ଜିଲା ଜଜ୍‌ଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ଏଥିପାଇଁ ତାଙ୍କୁ ହାଇକୋର୍ଟ ଠାରୁ ଅନୁମତି ନେବାକୁ ହେବ।