ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜିଲାସ୍ତରୀୟ ପ୍ରତିଯୋଗିତାରେ ଚୟନ ହୋଇଥିବା ୬ଟି ଜିଲାର ୬ଟି ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏହି ବିଜ୍ଞାନଭିତ୍ତିକ ନାଟକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବରଗଡ ଜିଲା ରେମଣ୍ଡା ସରକାରୀ ଗାଲର୍‌ସ ହାଇସ୍କୁଲର ଛାତ୍ରୀମାନେ ନୀରବ ଯନ୍ତ୍ରଣା ନାଟକ ପରିବେଷଣ କରି ପ୍ରଥମ ହୋଇଥିଲେ। ଡ. ପ୍ରଶାନ୍ତ କୁମାର ପଣ୍ଡାଙ୍କ ରଚିତ ଏହି ନାଟକକୁ ଛବିଳ ପ୍ରଧାନ ନିର୍ଦ୍ଦେଶନା ଦେଇଥିଲେ। ଛବିଳ ପ୍ରଧାନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ରେମଣ୍ଡା ବିଦ୍ୟାଳୟର ଛାତ୍ରୀ ମୋନିକା ନନ୍ଦ ଶ୍ରେଷ୍ଠ ଅଭିନେତା ଓ ସୋନାଲିକା ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀଭାବେ ପୁରସ୍କୃତ କରାଯାଇଥିଲା। ରେମଣ୍ଡା ବିଦ୍ୟାଳୟର ଛାତ୍ରୀମାନେ ଆସନ୍ତା ୧୪ତାରିଖରେ ଭୁବନେଶ୍ୱରର ରିଜିଓନାଲ ସାଇନ୍‌ସ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ କଚାରୁ ସରକାରୀ ହାଇସ୍କୁଲର ଛାତ୍ରୀମାନେ ଗାନ୍ଧୀଙ୍କ ସ୍ବପ୍ନ ନାଟକ ପରିବେଷଣ କରି ଦ୍ୱିତୀୟ ସ୍ଥାନ କରିଥିଲେ। ଗାନ୍ଧୀଙ୍କ ସ୍ବପ୍ନ ନାଟକ ରଚନା କରିଥିବା ଶିବପ୍ରସାଦ ମହାପାତ୍ରଙ୍କୁ ଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟରଭାବେ ପୁରସ୍କୃତ କରାଯାଇଥିଲା। ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହୁସିଆର ଯମ ଆସୁଛି ନାଟକ ପରିବେଷଣ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ନାଟ୍ୟକାର ହରିହର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାଟକ ଛାତ୍ରୀଛାତ୍ରଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ। ଆଧୁନିକ ଯୁଗରେ ନାଟକ ଓ ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ। ସୋନପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ନାଟ୍ୟକାର ତଥା ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ଅଭିନେତା ତଥା ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ।