ଜୈବ ଇନ୍ଧନ ସମ୍ମିଳନୀ – ୨୦୧୯ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ; ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୯ (ବ୍ୟୁରୋ): ସିଆଇଆଇ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜାଦାତା କରିବା ଭାରତ ସରକାରଙ୍କର ପ୍ରାଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ‘ଫାର୍ମ ଟୁ ଫୁଏଲ’ ଉଦ୍‌ଘାଟନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତି ଆମକୁ ପେଟ୍ରୋଲ ଡିଜେଲ୍‌ ପରି ଫସିଲ୍‌ ଉର୍ଜା ଆମଦାନୀକୁ କମ୍‌ କରିବାରେ ସହାୟକ ହେବ । ଏହାଦ୍ୱାରା ଆମର ଆମଦାନୀ କମ୍‌ ହୋଇ ଅର୍ଥନୀତି ମଜବୁତ୍‌ ହେବାସହ ଚାଷୀମାନଙ୍କ ଆର୍ଥିକ ବିକାଶ ହେବ। ବିଶ୍ୱରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ର ଗୁଡିକଠାରୁ ଭିନ୍ନ ଅଟେ । ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଏବଂ ସୁସ୍ଥ ଇନ୍ଧନ ପହଞ୍ଚାଇବା ଦିଗରେ କାମ କରୁଛନ୍ତି । ଆସନ୍ତା ୧୫ବର୍ଷ ମଧ୍ୟରେ ଭାରତ ବିଶ୍ୱର ୧ ନମ୍ବର ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହେବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୟୁଏସ୍‌ ଏଲଏନଜି ଆମଦାନୀ ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏଥିରୁ ଭାରତର ପରିବେଶ ସହଯୋଗୀ ବା ସ୍ବଚ୍ଛ ଇନ୍ଧନକୁ ବୃଦ୍ଧି କରିବାର ଯେଉଁ ଦାୟିତ୍ୱ ରହିଛି ତାହା ପରିଲକ୍ଷିତ ହେଉଛି । ଆମେରିକା ଭଳି ଇଥାନଲ, ୨ଜି ଇଥାନଲ୍‌, ବାୟୋଡିଜେଲ୍‌ ଏବଂ କମ୍ପ୍ରେସଡ୍‌ ବାୟୋ ଗ୍ୟାସକୁ ନେଇ ଆମେ ଦୁନିଆର ଭୌଗୋଳିକ ସ୍ଥିତିକୁ ବଦଳାଇପାରିବା । ମୋଦି ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି । ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍‌ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ । ସେହିପରି ୨ଜି ଇଥାନଲ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।