Categories: ରାଜ୍ୟ

ଜୈବବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ ଜିଲା କୋଶଳା ଚନ୍ଦନନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୋଶଳା ଚନ୍ଦନନଗର ବନ୍ୟପ୍ରାଣୀ ସମିତି ଓ ନିୟୁଜ ଅନୁଷ୍ଠାନ ଏବଂ କୋଶଳା ପଞ୍ଚାୟତ ଜୈବ ବିବିଧତା ପରିଚାଳନା ସମିତି ପକ୍ଷରୁ ବୁଧବାର ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ନିୟୁଜ ଅନୁଷ୍ଠାନର ସଂଯୋଜକ ଅଭୟ କୁମାର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟଅତିଥି ଭାବେ ପରିବେଶବିତ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଉପାଧ୍ୟକ୍ଷା ସୁଷମା ରାଉଳ, ଚନ୍ଦନନଗର ବନସୁରକ୍ଷା ସମିତି ସଭାପତି ଭାସ୍କର ଚଦ୍ର ବେହେରା, ସାମ୍ବାଦିକ ଦିଲୀପ କୁମାର ସାହୁ, କୋଶଳା ବନବିଭାଗ କାର୍ଯ୍ୟାଳୟର ଫରେଷ୍ଟଗାର୍ଡ ଗୀତୀଳୀ ସାହୁ ପ୍ରମୁଖ ଯୋଗ ଦେଇ ମୃତ୍ତିକା କ୍ଷୟ, ଜଳ, ପରିମଳ, ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତନ, ପ୍ରକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜୈବବିବିଧତାକୁ ବଜାୟ ରଖିଲେ ପ୍ରାକୃତିକ ପରିବେଶର ସନ୍ତୁଳନ ରହିବ ନ ଚେତ ଆଗକୁ ପରିବେଶ ଉପରେ ବିପଦ ବଢ଼ି ଚାଲିବ। ଜୈବବିବିଧତା ବଜାୟ ରହିଲେ ଖାଦ୍ୟ ନିରାପତ୍ତା ଓ ପରିବେଶୀୟ ସମୃଦ୍ଧି ଅତୁଟ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମହିଳାପୁରୁଷ ଉପସ୍ଥିତ ଥିଲେ।