ଜେଲ୍‌ ଗଲେ କୋଟିପତି କିରାଣି

ଜଳେଶ୍ୱର, ୨୬।୭(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା (ନଂ.୨୬/୨୦୧୯)ରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାରସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତଥା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଆରୁହା ଗ୍ରାମର ମୂଳ ବାସିନ୍ଦା ତରଣୀ କୁମାର ଭୂୟଁାଙ୍କୁ ଗୁରୁବାର ଜେଲ୍‌ ଯିବାକୁ ପଡିଛି। ପ୍ରିଭେନ୍ସନ୍‌ ଅଫ୍‌ କରପସ୍‌ନ୍‌ (ସଂଶୋଧନ )ଆକ୍ଟ ୨୦୧୮ ର ଧାରା ୧୩(୨) ସହିତ ୧୩(୧)(ବି) ଅନୁଯାୟୀ ତାଙ୍କୁ ଏହି ଦଣ୍ଡାଦେଶ ମିଳିଛି।
ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତକାରୀ ଅଧିକାରୀ ଅନିରୁଦ୍ଧ ନାୟକ ଅଭିଯୁକ୍ତ କିରାଣି ତରଣୀଙ୍କୁ ଗିରଫ କରି ବାଲେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲେ। ମାମଲାର ଗୁରତ୍ୱକୁ ଉପଲବ୍ଧି କରି ବିଚାରପତି ଅଭିଯୁକ୍ତ ଦ୍ୱାରା କରାଯାଇଥିବା ଜାମିନ ଆବେଦନକୁ ନାମଞ୍ଜୁର କରି ଜେଲ୍‌ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଧରାଷ୍ଟକ୍‌ ମୌଜାରେ ଅବସ୍ଥିତ ଅଭିଯୁକ୍ତଙ୍କ ବିଳାସମୟ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ସମେତ ଆରୁହା ଗ୍ରାମସ୍ଥିତ ପୈତୃକ ଘର, ମହାବିଦ୍ୟାଳୟର ଦପ୍ତର, ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଲୁହାଶିଳା ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସ୍ତ୍ରୀ ରେଣୁବାଳା କରଙ୍କ କାର୍ଯ୍ୟସ୍ଥଳ ଓ ଜଳେଶ୍ୱର ବ୍ଲକ ଖାଲିନା ଗ୍ରାମସ୍ଥିତ ଶ୍ୱଶୁର ଗଣେଶଚନ୍ଦ୍ର କରଙ୍କ ବାସଭବନରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ତରଫରୁ ଏକକାଳୀନ ୫ଟି ସ୍ଥାନରେ ୫ଟି ଟିମ୍‌ ଦ୍ୱାରା ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତ କିରାଣି ଓ ତାଙ୍କ ସ୍ତ୍ରୀଙ୍କଠାରୁ ନଗଦ ୧୦ ହଜାର ୭୭୦ ଟଙ୍କା, ୬୪ ଗ୍ରାମ ସୁନା ଅଳଙ୍କାର, ଲକ୍ଷାଧିକ ଟଙ୍କା ମୂଲ୍ୟର ୫ଟି ପ୍ଲଟ୍‌, ୮୧ ଲକ୍ଷ ୧୧ ହଜାର ୬୬୦ ଟଙ୍କା ମୂଲ୍ୟର ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା, ୧ ଲକ୍ଷ ୬୩ ହଜାର ୬୦୬ ଟଙ୍କା ମୂଲ୍ୟର ଘରୋଇ ଉପକରଣ, ୩ ଲକ୍ଷ ୭୮୯ ଟଙ୍କା ବିଦ୍ୟୁତ ସରଞ୍ଜାମ ତଥା ଉପକରଣ, ୨ ଲକ୍ଷ ୯୦୦ ଟଙ୍କା ମୂଲ୍ୟର ଫର୍ଣ୍ଣିଚର, ସ୍ବାମୀ ଓ ସ୍ତ୍ରୀଙ୍କ ନାମିତ ୧୦ ଲକ୍ଷ ୧ ହଜାର ୬୧୭ ଟଙ୍କାର ଜୀବନବୀମା ବଣ୍ଡ୍‌, ପୋଷ୍ଟାଲ ତଥା ଅନ୍ୟ ବ୍ୟାଙ୍କରେ ଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜମାରାଶିର ହିସାବ ଜାଣିବାକୁ ପାଇଥିଲେ।