କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା ଉକ୍ତ ଜେଲରେ ରବିବାର ୨ ବିରୋଧୀ ଅନ୍ତେବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ସୋମବାର ବିଦ୍ରୋହୀ ଗୋଷ୍ଠୀ ଜେଲରୁ ବନ୍ଧୁକ ନେଇଯାଇ ପୁଣିଥରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ସଂଘର୍ଷରେ ୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜେଲରେ ଡ୍ରଗ୍ସ ଚୋରାଚାଲାଣକୁ ସମର୍ଥନ କରୁଥିବା ଗୋଟିଏ ଗୋଷ୍ଠୀ ଏବଂ ଏହାକୁ ବିରୋଧ କରୁଥିବା ଅନ୍ୟ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୋଲିସ ସ୍ବତନ୍ତ୍ର ଟାସ୍କଫୋର୍ସ ଏବଂ ଦଙ୍ଗା ନିୟନ୍ତ୍ରଣକାରୀ ପୋଲିସଙ୍କୁ ମୁତୟନ କରାଯାଇଛି। ସଂଘର୍ଷ ପରେ ୩ ଜଣ ଅନ୍ତେବାସୀଙ୍କୁ ସୋମବାର ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ସ୍ବତନ୍ତ୍ର ତଦନ୍ତ ଆରମ୍ଭ ହୋଇଥିବା ଜେଲ ବିଭାଗ ମୁଖପାତ୍ର କହିଛନ୍ତି।
Dharitri – Odisha’s No.1 Odia Daily

