ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟାଗୁଡ଼ିକ ସମାଧାନ କରାଗଲା ନାହିଁ। ଏହି ସମସ୍ୟା ସମ୍ପର୍କରେ ଶେଷଥର ପାଇଁ ଗତ ସପ୍ତାହରେ ସ୍ଥାନୀୟ ବୃନ୍ଦାଦେଇପୁର ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ଜେନାପୁର ଡାକ୍ତରଖାନା ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହିତ ଯାଜପୁର ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଥିଲା। ଚଳିତମାସ ୨୪ତାରିଖ ସୁଦ୍ଧା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ସହିତ କର୍ମଚାରୀ ସମସ୍ୟା ପୂରଣ କରିବା, ପ୍ରସୂତି ବିଭାଗକୁ ଚାଲୁ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନକୁ ସେବା ସଂଗଠନ ଅନୁରୋଧ କରାଯାଇଥିଲା। ତେବେ ସମସ୍ୟା ସମାଧାନ ତ ଦୂରର କଥା, ସଂଗଠନର କର୍ମକର୍ତ୍ତାଙ୍କ ସହିତ କେହି ଆଲୋଚନା ମଧ୍ୟ କଲେ ନାହିଁ। ଫଳରେ ସେବା ସଂଗଠନର ସଭାପତି ନିର୍ମଳ କୁମାର ପ୍ରଧାନ ଓ ବରିଷ୍ଠ ସଭ୍ୟ ଲାଲ୍‌ମୋହନ ଶତପଥୀ ବୁଧବାର ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଦାବୀ ପୂରଣ ନ ହେବାପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି ସଭାପତି ପ୍ରଧାନ ଓ ସାଧାରଣ ସଂପାଦକ ସରୋଜ କାନ୍ତ ବେହେରା ସୂଚନା ଦେଇଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ଦିଗରୁ ଗୁରୁତ୍ୱ ବହନ କରେ। ଧର୍ମଶାଳା ଓ ପଡ଼ୋଶୀ ଢେଙ୍କାନାଳ ଜିଲାର ନିହଲପ୍ରସାଦ ଅଞ୍ଚଳର ପାଖାପାଖି ୫୦ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ଏହାଉପରେ ନିର୍ଭର କରିଥାନ୍ତି। ଦୀର୍ଘଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ନ ଥିବାବେଳେ କର୍ମଚାରୀଙ୍କ ଅଭାବ ପରିଲ୍ଲକ୍ଷିତ ହେଉଛି। ଏପରି କି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା, କୁକୁର କାମୁଡ଼ା ଇଞ୍ଜେକ୍ସନ ଠାରୁ ଆରମ୍ଭ କରି ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ମିଳୁନାହିଁ । ଆମରଣ ଅନଶନକୁ ସମର୍ଥନ ଜଣାଇ ଅଞ୍ଚଳର ବରିଷ୍ଠ ନାଗରିକ ନଟବର ଦଳାଇ, ପଦ୍ମନାଭ ଶତପଥି, ରଞ୍ଜନ ଶତପଥି, ବଳରାମ ଦାସ, କୀର୍ତ୍ତନ ବିହାରୀ ସାହୁ ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇଥିଲେ।