ଜୁନ୍‌ ୨୩ରେ ରଥଯାତ୍ରା: ପ୍ରସ୍ତୁତ ହେଲାଣି ୧୫ ଚକ

ପୁରୀ ଅଫିସ,୧୭।୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ବିଳମ୍ବରେ କାମ ଆରମ୍ଭ ହୋଇଥିବାରୁ କିପରି ଠିକଣା ସମୟରେ ତିନିରଥ ପ୍ରସ୍ତୁତ ହୋଇଯିବ ସେଥିପାଇଁ ଦିନରାତି ଲାଗିପଡ଼ିଛନ୍ତି ରଥ ନିର୍ମାଣରେ ସମ୍ପୃକ୍ତ ସେବକ। ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ଦିଗ୍‌ଦର୍ଶନ ଅନ୍ୟ ମହାରଣାମାନେ ଭୋଇ ସେବକଙ୍କ ସହାୟତାରେ ରଥ ତିଆରି କାମ ଚାଲିଛି। ସେହିପରି ରୂପକାର ସେବକମାନେ ବିଭିନ୍ନ ପ୍ରକାର ଖୋଦେଇ କାମ ଜାରି ରଖିଥିବା ବେଳେ ଦୋଳବେଦୀ ପରିସର ଅସ୍ଥାୟୀ କମାରଶାଳାରେ କମାର ସେବକମାନେ ବିଭିନ୍ନ ପ୍ରକାର କଣ୍ଟା, ବଳା, ପନ୍ଦାରୀ ଆଦି ତିଆରି କରୁଛନ୍ତି। ଶନିବାର ସୁଦ୍ଧା ରଥଖଳାରେ ୧୫ଟି ଚକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି। ଆହୁରି ୨୭ଟି ଚକ କିପରି ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବ ସେଥିରେ ଲାଗିପଡ଼ିଛନ୍ତି ମହାରଣା ସେବକ। ଏହାବ୍ୟତିତ ଓରା ବିନ୍ଧ କରାଯାଇଥିବାବେଳେ ପୋଟଳ ଓରା, ପୋଟଳ ପାରେଣି ତିଆରି ସରିଛି। ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଥିବା ଜଣାପଡ଼ିଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଖଳା ଭିତରକୁ କିପରି ପାଣି ନ ପଶିବ ସେଥିଲାଗି ଚାରିପଟେ ଇଟା ସିମେଣ୍ଟ ବନ୍ଧ କରାଯାଇଛି। ସେହିପରି ରଥଖଳା ଉପରେ ପାଲ ମଧ୍ୟ ପକାଯାଇଛି।