ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ-୨୦୧୯ ‘ଆମ ଆମ୍ବ ବଜାର’ ଆସନ୍ତା ଜୁନ୍‌ ୧ରୁ ଅନୁଷ୍ଠିତ ହେବ। ୫ଦିନ ବ୍ୟାପି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା ବିକ୍ରୟ ମେଳା ଚଳିତବର୍ଷ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି) ପରିସରରେ ଆୟୋଜନ ହେବ। ଏଥିଲାଗି ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଓର୍‌ମାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓର୍‌ମାସର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟଂପ୍ରଭା ମହାନ୍ତି ଓ ଉପନିର୍ଦ୍ଦେଶକ(ବିପଣନ) ସୁଜୋୟ କର ଉପସ୍ଥିତ ଥିଲେ। ରାଜ୍ୟର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ୮ ଜିଲା ଯଥା ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତିର ଜିଲାସ୍ତରୀୟ ଅଧିକାରୀ, ଉତ୍ପାଦକ କମ୍ପାନୀ ଏବଂ ଗୋଷ୍ଠୀଗୁଡ଼ିକର ପ୍ରତିନିଧି ଓ କର୍ମକର୍ତ୍ତା ବୈଠକରେ ଯୋଗଦେଇଥିଲେ।
ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ବିଭିନ୍ନ ଉନ୍ନତ କିସମର ସଦ୍ୟ ହାତତୋଳା ତଥା ରାସାୟନିକ ପଦାର୍ଥ ବୋଳାଯାଇ ନ ଥିବା ଆମ୍ବକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ତା’ ସମ୍ପର୍କରେ ଅବଗତ କରାଇବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ସ୍ବୟଂପ୍ରଭା ମହାନ୍ତି ସୂଚନା ଦେଇଛନ୍ତି। ଉପରୋକ୍ତ ଜିଲାଗୁଡ଼ିକର ଆମ୍ବ ଚାଷୀମାନେ ମହୋତ୍ସବରେ ଯୋଗଦେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଉନ୍ନତ କିସମର ସ୍ବାଦିଷ୍ଟ ଆମ୍ବ ପ୍ରଦର୍ଶନ ଓ ବିକ୍ରିବଟା କରିପାରିବେ। ଏହି ଗ୍ରାମୀଣ ଚାଷୀମାନେ ମଧ୍ୟସ୍ଥିମାନଙ୍କ ଜରିଆରେ କମ୍‌ ଦରରେ ବେପାରୀଙ୍କୁ ଆମ୍ବ ବିକ୍ରି କରି ଲାଭାଂଶ ହରାଇ ବସୁଥିବା ବେଳେ ମହୋତ୍ସବରେ ଅଂଶଗ୍ରହଣ କରି ଖୁଚୁରା ବିକ୍ରିବଟାର ସୁଯୋଗ ପାଇବେ। ଏଥିସହ ଅଧିକ ଲାଭବାନ ହୋଇପାରିବେ। ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ସ୍ବାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ଯଥା ଆମ୍ରପାଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପାଲି, ହିମସାଗର, ତୋଟାପୁରୀ, ସୁନ୍ଦରୀ ଆଦି ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିବେ। ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କ ନିକଟରେ ଉତ୍କୃଷ୍ଟ ଆମ୍ବ ପହଞ୍ଚାଇବା ଓ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଏହି ମହୋତ୍ସବର ଲକ୍ଷ୍ୟ ବୋଲି କୁହାଯାଇଛି।