ଜୁନାଗଡ ସହରରେ ହୋମ୍‌ ଡେଲିଭରି ମାଧ୍ୟମରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ

ଜୁନାଗଡ,୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରଯାଇଛି। ସହରର ବିଭିନ୍ନ ତେଜରାତି ଦୋକାନରେ ଲୋକମାନେ ସାମଗ୍ରୀ କିଣିଲା ବେଳେ ସାମୟିକ ଦୂରତା ମାନୁ ନ ଥିଲେ। ଫଳରେ ଜୁନାଗଡ ଏନ୍‌ଏସି ଓ ପୋଲିସ ପ୍ରଶାସନର ନିଷ୍ପତ୍ତି କ୍ରମେ ସାମୟିକ ଦୂରତା ରକ୍ଷା କରିବା ପାଇଁ ମଙ୍ଗଳବାରଠାରୁ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଏ ବିଷୟରେ ଲୋକଙ୍କୁ ଡାକବାଜି ଯନ୍ତ୍ର(ମାଇକ୍‌) ସାହାଯ୍ୟରେ ସୂଚନା ଦିଆଯାଇଥିଲା। ମଙ୍ଗଳବାରଠାରୁ ଲୋକଙ୍କୁ ହୋମଡେଲିଭରି ମାଧ୍ୟମରେ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥିରେ ସ୍ଥାନୀୟ ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟାମାନେ ଓ ଇଚ୍ଛୁକ ବ୍ୟବସାୟୀମାନେ ଚିହ୍ନଟ ହୋଇ ସହରବାସୀଙ୍କୁ ସାମଗ୍ରୀ ଯୋଗାଉଛନ୍ତି। ସେହିପରି କେହି ଯଦି କିଛି ସାମଗ୍ରୀ ନ ପାଇଲେ ତେବେ ସିଧାସଳଖ ସେମାନେ ଏନ୍‌ଏସିର ଟୋଲଫ୍ରି ନମ୍ବରକୁ ଲଗେଇ ନିଜ ସମସ୍ୟ ବିଷୟରେ ଅଭିଯୋଗ କରିପାରିବେ ବୋଲି ସ୍ଥାନୀୟ ଏନ୍‌ଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ତଥା ତହସିଲଦାର ଉପେନ୍ଦ୍ର ଲୁହା ପ୍ରକାଶ କରିଛନ୍ତି। ତେବେ ପୂର୍ବପରି ସହରର କେବଳ ଔଷଧ ଦୋକାନଗୁଡିକ ଖୋଲା ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ସାମାଜିକ ଦୂରତା ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ନିବେଦନ କରିଛନ୍ତି।