ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍‌ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅଞ୍ଚଳରେ। ନଂ.୨୬୧/୨୦୧୯ରେ ମାମଲା ରୁଜୁ କରି ପୋଲିସ ଉପରକୁ ଆକ୍ରମଣ କରିଥିବା ଅଭିଯୋଗରେ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।
ପୋଲିସର ସୂଚନା ଅନୁସାରେ, ଲୋଚାପଡା ଅଞ୍ଚଳର ଏକ ଘରେ ଜୁଆଆଡ୍ଡା ଚାଲୁଥିବା ଶୁକ୍ରବାର ରାତିରେ ସଦର ଥାନା ପୋଲିସକୁ ସୂଚନା ମିଳିଥିଲା। ସଦରଥାନା ଓ ନିମଖଣ୍ଡି ଫାଣ୍ଡି ପୋଲିସ ସଦଳବଳ ସେଠାରେ ରାତି ପ୍ରାୟ ୧୨ଟାରେ ଚଢାଉ କରିଥିଲେ। ମାତ୍ର ଅନ୍ଧାରର ସୁଯୋଗ ନେଇ ଜୁଆଡ଼ିମାନେ ପୋଲିସକୁ ଆକ୍ରମଣ କରିଥିଲେ। ସଦରଥାନା ସେକେଣ୍ଡ ଅଫିସର (ଏସ୍‌ଆଇ) ବିଭୂତି ଭୂଷଣ ସେଠୀଙ୍କ ହାତକୁ ଜଣେ ଜୁଆଡି କାମୁଡି ଦେଇଥିଲେ। ପୋଲିସ ୧୧ ଜଣଙ୍କୁ କାବୁ କରିଥିଲା। ସେମାନେ ହେଲେ ମହେନ୍ଦ୍ର ସାହୁ (୨୪), ଗଣେଶ ସାହୁ (୩୫), ବୃନ୍ଦାବନ ବେହେରା (୩୪), ଦୀପକ ସାହୁ (୨୫), ମନୋଜ କୁମାର ସାହୁ (୩୬), ଶ୍ରୀହରି ପାତ୍ର (୨୬), ହିନ ସାହୁ (୨୫), ମୁରଲିଧର ସାହୁ (୩୦), କୁନା ସେଠୀ (୨୧) ଓ ସନ୍ତୋଷ ପ୍ରଧାନ (୨୭)। ସେଠାରୁ ୮ହଜାର ୭୭୦ ଟଙ୍କା, ୫ ଠେଙ୍ଗା, ଚାରୋଟି ପଥର ଓ ୭ଟି ମୋବାଇଲ ପୋଲିସ ଜବତ କରିଛି। ଶନିବାର ୧୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇଦିଆଯାଇଛି।