ଜୀବିକା ସହଜ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲା ବନ୍ଦ ଯୋଗୁ ଜିଲାର ଅର୍ଥନୀତି ଲୋକଙ୍କ ଜୀବନ ଓ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଜିଲାପାଳ ବୈଠକରେ ଅବଗତ କରିଥିଲେ। ତେଣୁ ସମସ୍ତ ବ୍ୟାଙ୍କ ଏହି ଲକ୍‌ଡାଉନ୍‌ ସମୟରେ ପ୍ରଭାବିତ ଚାଷୀ, ଶ୍ରମିକ, ସ୍ବୟଂ ସହାୟକ ଗୋଷ୍ଠୀ, ଜନଧନ ହିତାଧିକାରୀ ଓ ଶିଳ୍ପଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ସହଜରେ ଯୋଗାଇ ଦେବା ସହ ଅର୍ଥନୈତିକ କାର୍ଯ୍ୟ ପ୍ରକ୍ରିୟାର ପୁନଃ ଆରମ୍ଭ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।
ଗରିବ ଲୋକମାନେ ସେମାନଙ୍କ ଜୀବିକା ଅର୍ଜନ ଯେପରି ସହଜରେ କରିବା ପାଇଁ ସକ୍ଷମ ହେବେ ସେଥିପ୍ରତି ବ୍ୟାଙ୍କଗୁଡ଼ିକ ବିଶେଷ ଯନତ୍ବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଖରାଦିନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଛାଉଣି ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଆଦି ବିଭିନ୍ନ କ୍ଷେତ୍ରରେ ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ କରି ଉପଲବ୍ଧ ଥିବା ରିହାତି ପାଇବାରେ ସହାୟତା କରିବାକୁ ଜିଲାପାଳ କହିଥିଲେ। ପ୍ରାରମ୍ଭରେ ଏଲ୍‌ଡିଏମ୍‌ ମହେଶ୍ୱର ଗୌଡ଼ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୂଲ୍ୟ କୁମାର ଚମ୍ପତିରାୟଙ୍କ ସମେତ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।