ଜୀବିକାକୁ ନେଇ ଚିନ୍ତାରେ ବନବାସୀ

କେନ୍ଦୁଝର, ୨୭ା୪(ସ୍ବ.ପ୍ର.)-ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ହରିଡା, ବାହାଡା, କାଠ, ଦାନ୍ତକାଠି, ଶାଳପତ୍ର ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ବନବାସୀମାନେ ତେଲଲୁଣର ସଂସାର ଚଳାଇଥାନ୍ତି। କେନ୍ଦୁଝର ଜିଲାର ଗ୍ରାମୀଣ ଅଧିବାସୀଙ୍କ ଅର୍ଥନୀତିକୁ ସୁଦୃଢ କରିଥାଏ ମହୁଲଫୁଲ। ଏହାକୁ ବିକି ଜିଲାର ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁୁଥିବା ବନବାସୀମାନେ ବର୍ଷର ୮ ମାସ ଜୀବିକା ନିର୍ବାହ କରିଥାନ୍ତି। ମାତ୍ର ଚଳିତବର୍ଷ ଲକ୍‌ଡାଉନ ଘୋଷଣା ମହୁଲ ସଂଗ୍ରହକାରୀଙ୍କୁ ନିରାଶ କରିଛି। କରୋନା ଯୋଗୁ ଘରେ ଅଟକି ରହିବା ଏବଂ ହାଟବଜାର ବନ୍ଦ ଥିବାରୁ ଲୋକେ ମହୁଲ ଫୁଲ ସଂଗ୍ରହ ଓ ବିକ୍ରିବଟା କରିପାରୁ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି। ଜୀବିକାକୁ ନେଇ ସେମାନେ ଏବେ ଚିନ୍ତାରେ ରହିଛନ୍ତି।
ଜିଲାର ହାଟଡିହି, ଆନନ୍ଦପୁର, ଘଟଗାଁ, ହରିଚନ୍ଦପୁର, ତେଲକୋଇ, ବାଂଶପାଳ, କେନ୍ଦୁଝର ସଦର, ଝୁମ୍ପୁରା, ପାଟଣା, ସାହାରପଡା, ଚମ୍ପୁୁଆ, ଯୋଡା ବ୍ଲକ ଅଞ୍ଚଳର ବଣପାହାଡ଼ ତଥା ଗାଁ ଗଣ୍ଡାରେ ମହୁଲ ମିଳିଥାଏ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଏପ୍ରିଲ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଦେଢମାସ ଧରି ମହୁଲ ସଂଗ୍ରହ ହୋଇଥାଏ। ଏହାକୁ ଶୁଖାଇ ସାଇତି ରଖିବା ପରେ ବିକ୍ରି କରାଯାଏ। ପ୍ରତ୍ୟେକ ପରିବାରର ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମହୁଲ ଫୁଲ ସଂଗ୍ରହ କରିବାକୁ ଟୋକେଇ, ବ୍ୟାଗ ଆଦି ଧରି ଭୋର ସମୟରେ ବଣ ଜଙ୍ଗଲକୁ ଯାଇଥାନ୍ତି। କିନ୍ତୁ କରୋନା ପାଇଁ ଲକଡାଉନ ପରିସ୍ଥିତି ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ଦୋହଲାଇ ଦେଇଛି ବୋଲି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭରତ ଚନ୍ଦ୍ର ପାତ୍ର କହିଛନ୍ତି। ସେହିପରି ଚଳିତବର୍ଷ ଅଦିନିଆ ବର୍ଷା ଯୋଗୁ ଅନେକ ଅଞ୍ଚଳରେ କମ୍‌ ପରିମାଣର ମହୁଲ ଫୁଲ ଫୁଟିଛି। କରୋନା ଯୋଗୁ ଘରୁ ବାହାରି ନ ପାରିବା ଓ ବିକ୍ରିବଟା ହୋଇ ପାରୁ ନ ଥିବା ବାଂଶପାଳ ବ୍ଲକ ଅଞ୍ଚଳର ମହୁଲ ଫୁଲ ସଂଗ୍ରହକାରୀ ରାଜନ ମୁଣ୍ଡା କହିଛନ୍ତି ା ଲକଡାଉନ ପାଇଁ ଲୋକଙ୍କୁ ସରକାରୀ ସହାୟତା ମିଳିଥିଲେ ମଧ୍ୟ ମହୁଲ ସଂଗ୍ରହ କମିବା ଯୋଗୁ ସରକାରଙ୍କ ରାଜସ୍ବହାନି ହେବ ବୋଲି ମଧ୍ୟ ମତପ୍ରକାଶ ପାଉଛି।