ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍‌ ବିଭାଗର ନିଘା ନାହିିଁ

ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ପୁରୁଣା ଯାତ୍ରୀ ବିଶ୍ରାମ ଘର ପାଖରେ ରହିଛି। ମାତ୍ର ଏହି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି। ଟ୍ରାନ୍ସଫର୍ମରଠାରୁ ଏନ୍‌ଜେଏନ୍‌ କାର୍ଯ୍ୟାଳୟ ୨ ଶହ ମିଟର ଓ ସେସୁ କାର୍ଯ୍ୟାଳୟ ମାତ୍ର କେଇହାତ ଦୂର। ହେଲେ ଏଥିପ୍ରତି ବିଭାଗର ନିଘାନାହିଁ। ନିୟମାନୁଯାୟୀ ଟ୍ରାନ୍ସଫର୍ମରଗୁଡିକ ଜନବସତିଠାରୁ ଦୂରରେ ବସାଇବା ସହିତ ଏହାର ଚତୁଃପାର୍ଶ୍ୱ ଆବଦ୍ଧ କରି ରଖିବା ଆବଶ୍ୟକ। ଯାହାଫଳରେ ବାହାରର କୌଣସି ଜୀବଜନ୍ତୁ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଏହି ଟ୍ରାନ୍ସଫର୍ମର ବଜାର ପାଖ ରାସ୍ତା ପାର୍ଶ୍ୱରୁ ମାତ୍ର ୪ରୁ୫ଫୁଟ ଉଚ୍ଚରେ ରହିଥିବାବେଳେ ନାମକୁ ମାତ୍ର କଣ୍ଟବାଡ ଘେରାଯାଇଛି। ଏହାମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ,ବୁଲାକୁକୁର ଅବାଧରେ ପ୍ରବେଶ କରୁଛନ୍ତି। ଏପରି କି ଏହି ଟ୍ରାନ୍ସଫରମର ସଂସ୍ଫର୍ଶରେ ଆସି ଅନେକ ପ୍ରାଣୀଙ୍କ ମୃତ୍ୟୁ ଘଟି ସାରିଲାଣି।
କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କେବଳଯେ, ନାଉଗାଁ ବଜାରରେ ଥିବା ଏହି ଟ୍ରାନ୍ସଫରମର ନୁହେଁ ବ୍ଲକର ୧୬ ପଞ୍ଚାୟତର ଅଧିକାଂଶ ଟ୍ରାନ୍ସଫରମର ଖୋଲାମେଲା ପଡିଥିବା ଦେଖିବାକୁ ମିଳିଛି। ଫଳରେ ଏହି ଟ୍ରାନ୍ସଫର୍ମର ସଂସ୍ଫର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବ ନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମର ଗୁଡିକର ରକ୍ଷାଣାବେକ୍ଷଣ ଠିକ୍‌ରେ ହେଉନାହିଁ। କେଉଁଠି ଟ୍ରାନ୍ସଫର୍ମରରେ ଗଛ ମାଡ଼ିଗଲାଣି ତ ଆଉ କେଉଁଠି କେଉଁଠି ଘେରା ଯାଇଥିବା କାଣ୍ଟା ତାରରେ କଳଙ୍କି ଲାଗି ଭାଙ୍ଗି ଗଲାଣି। ତେଣୁ କମ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ତୁରନ୍ତ ପାଚେରି ନିର୍ମାଣକରିବା ସହିତ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏସମ୍ପର୍କରେ ବାଲିକୁଦା ସେସୁ ବିଭାଗ ଏସ୍‌ଡିଓ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ ସେ କହିଥିଲେ, ପାଚେରି ନିର୍ମାଣ ହୋଇଥିଲା। ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣବେଳେ ତାହାକୁ ଆର୍‌ ଆଣ୍ଡ୍‌ ବି ବିଭାଗ ଭାଙ୍ଗି ଦେଇଥିଲା। ପରେ ସେମାନେ କରିଦେବେ ବୋଲି କହିଥିଲେ। ହେଲେ କରିଲେ ନାହିଁ। ଏବେ ଆମେ ନାଉଗାଁ ବଜାର କମିଟି ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଥିଲେ।