ଜୀବନ, ଜୀବିକା ଓ ଅର୍ଥନୀତି

ପ୍ରଦୀପ ଚନ୍ଦ୍ର

ସମଗ୍ର ବିଶ୍ୱ ଆଜି ଏକ ଅଦୃଶ୍ୟ ଶତ୍ରୁ କରୋନା କବଳରେ ଜର୍ଜରିତ। ବର୍ତ୍ତମାନର ପରିସ୍ଥିତିରେ ଦେଶର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ କ୍ରେଡିଟ୍‌ ରେଟିଂ ସଂସ୍ଥାମାନେ ୨୦୨୦-୨୦୨୧ ଆର୍ଥିକ ବର୍ଷ ନିମନ୍ତେ ଦେଶର ଆର୍ଥିକ ଅଭିବୃଦ୍ଧି ବିଗତ ତିନି ଦଶକରେ ସବୁଠାରୁ କମ୍‌ ରହିବ ବୋଲି ପୂର୍ବ ଆକଳନ କରିସାରିଛନ୍ତି। ଦେଶ ସ୍ବାଧୀନ ହେବା ପରଠାରୁ ଦେଶର ମୁଖ୍ୟ ପ୍ରସଙ୍ଗ ମଧ୍ୟରୁ କୃଷି ଓ ବେରୋଜଗାରୀ ହେଉଛି ଦୁଇଟି ପ୍ରମୁଖ ପ୍ରସଙ୍ଗ ଆଉ ସମସ୍ୟା। ବିଗତ କିଛି ମାସରେ ଉଭୟ ସମସ୍ୟା ଜଟିଳ ରୂପ ଧାରଣ କରିଛି। ଏକ ଆକଳନ ଅନୁସାରେ ଏପ୍ରିଲ୍‌ ୨୪ ପର୍ଯ୍ୟନ୍ତ ଦେଶର ବେରୋଜଗାରୀ ସଂଖ୍ୟା ଗୋଟିଏ ମାସରେ ୧୯ ପ୍ରତିଶତ ବୃଦ୍ଧି ପାଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ ୧୪ କୋଟି ଭାରତୀୟ କେବଳ ଲକ୍‌ଡାଉନ୍‌ ସମୟରେ ନିଯୁକ୍ତି ହରେଇଛନ୍ତି ଏବଂ ୪୫ପ୍ରତିଶତ ପରିବାର ସମଗ୍ର ଦେଶରେ ପୂର୍ବବର୍ଷର ଆୟ ତୁଳନାରେ ନିଜର ଆୟ ହ୍ରାସ କରିଛନ୍ତି।
କରୋନା ମହାମାରୀର କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ନ ଥିବାବେଳେ ସରକାରଙ୍କ ପ୍ରମୁଖ ଅସ୍ତ୍ର ହେଉଛି ଲକ୍‌ଡାଉନ୍‌। ଏହା ମାଧ୍ୟମରେ ସରକାର ଅର୍ଥନୀତିଠାରୁ ଅଧିକ ଗୁରୁତ୍ୱ ସର୍ବସାଧାରଣ ଜୀବନକୁ ଦେଇଛନ୍ତି। ମାତ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଅର୍ଥନୀତି ମଧ୍ୟ କରୋନା ଚାପରେ ଚାପି ହୋଇଯାଇଛି। ଅନେକ ପ୍ରମୁଖ ଉତ୍ପାଦନକାରୀ ସଂସ୍ଥା ନିଜର ଉତ୍ପାଦନକୁ ଅସ୍ଥାୟୀ ରୂପେ ସ୍ଥଗତି ରଖିଲେ ଅଥବା ଉତ୍ପାଦନକୁ ହ୍ରାସ କଲେ। ଏଫଏମ୍‌ସିଜି କମ୍ପାନୀମାନେ ବ୍ୟାପକ ଭାବେ ବିଭିନ୍ନ ଉତ୍ପାଦ ଉତ୍ପାଦନ କରୁଥିବା ବେଳେ ଏହି ସମୟ ମଧ୍ୟରେ ଆଉ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନକୁ ପ୍ରାଥମିକତା ଦେଲେ। କରୋନା ମାଡ଼ରେ ଦେଶର ଅର୍ଥ ବ୍ୟବସ୍ଥାର ମାନଦଣ୍ଡ କୁହାଯାଉଥିବା ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।
କରୋନା ସହିତ ସଂଗ୍ରାମ କରିବା ପାଇଁ ଅନେକ ଆର୍ଥିକ ପ୍ରୋତ୍ସାହନ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଛି। ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ସରକାର ୧, ୭୦,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଆର୍ଥିକ ସହାୟତା ଘୋଷଣା କରିଥିଲେ, ଯେଉଁଥିରେ ଖାଦ୍ୟ ସୁରକ୍ଷା ଏବଂ ସ୍ବାସ୍ଥ୍ୟସେବା ନିମନ୍ତେ କ୍ଷେତ୍ର ଥିଲା ପ୍ରମୁଖ। ଏପ୍ରିଲ୍‌ ୩ ତାରିଖରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁୁ କରୋନା ମୁକାବିଲା ପାଇଁ ୨୮,୩୭୯ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ବିଶ୍ୱବ୍ୟାଙ୍କ ଏବଂ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ କରୋନା ସହିତ ଭାରତର ସଂଗ୍ରାମକୁ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏପ୍ରିଲ୍‌ ୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କଲେ ସେହି ସମୟରେ ଅର୍ଥନୀତିକୁ ମଧ୍ୟ ପ୍ରାଧାନ୍ୟ ଦେଇ କେତେକ ନୂତନ ଗାଇଡ୍‌ଲାଇନ୍‌ ଧାର୍ଯ୍ୟ କଲେ, ଯାହା କି ଲକ୍‌ଡାଉନ୍‌ ସହିତ ସମତୁଲ ହିସାବରେ ଆଗକୁ ବଢ଼ିବ। ଦେଶର ଅର୍ଥ ବ୍ୟବସ୍ଥାରେ ଦେଖାଯାଇଥିବା ଝଡ଼କୁ ଶାନ୍ତ କରିବା ପାଇଁ ରିଜର୍ଭବ୍ୟାଙ୍କ ଏପ୍ରିଲ୍‌ ୧୭ ତାରିଖରେ ୫୦,୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ନାବାର୍ଡ, ଏସ୍‌ଆଇଡିବିଆଇ, ଏନ୍‌ଏଚବିକୁ ପ୍ରଦାନ କରିଥିଲେ। କରୋନା ଯୋଗୁ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ସମସ୍ୟା ଓ ଆବଶ୍ୟକତାକୁ ଲକ୍ଷ୍ୟକରି ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏପ୍ରିଲ୍‌ ୪ ତାରିଖରେ ଏହାକୁ ”Greatest emergency after Independence“ ବୋଲି ଆଖ୍ୟା ଦେଇଥିଲେ। ଅପରପକ୍ଷେ ଏପ୍ରିଲ୍‌ ୨୮ରେ ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ୍‌ କହିଥିଲେ ଯେ, ଭାରତ ଏହି ଆର୍ଥିକ ସଙ୍କଟରୁ ବାହାରିବାକୁ ହେଲେ ୧୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଆବଶ୍ୟକ।
ଅନେକ ଆକଳନ ଓ ତଥ୍ୟ ମଧ୍ୟରେ କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଅର୍ଥନୈତିକ ଏବଂ ବେରୋଜଗାରୀ ସମସ୍ୟା ସହିତ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀର ଅଭାବ ମଧ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଭିନ୍ନ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ପ୍ରବାସୀ ସ୍ବରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହା ଫଳରେ ପ୍ରବାସ କରୁଥିବା ରାଜ୍ୟରେ ସେମାନେ ଯେଉଁ ଉଦ୍ୟୋଗରେ ନିଯୁକ୍ତି ପାଇଥିଲେ ବର୍ତ୍ତମାନ ସେଠାରେ କୁଶଳ କାରିଗରି ଓ ମାନବସମ୍ବଳର ଅଭାବରୁ ଉତ୍ପାଦନ ହ୍ରାସ ହେବା ସ୍ବାଭାବିକ। ଅପରପକ୍ଷେ ସ୍ବରାଜ୍ୟରେ ସେମାନେ ବେରୋଜଗାର ହୋଇ ରହିବା ଫଳରେ ରାଜ୍ୟରେ ବେକାରି ସଂଖ୍ୟାରେ ବୃଦ୍ଧି ଘଟୁଛି। ଜନସଂଖ୍ୟାର ଏକ ବୃହତ୍‌ ଭାଗ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତ ହୋଇ ରୋଜଗାର କରୁଥିବା ବେଳେ ହଠାତ୍‌ ମହାମାରୀ ଯୋଗୁ ଏହିସବୁ ଉଦ୍ୟୋଗ ନିଜର ଉତ୍ପାଦନ କ୍ଷମତାକୁ ହ୍ରାସ କରିବା ଫଳରେ ବଳକା ଶ୍ରମିକ ଏବେ ନିଯୁକ୍ତିହରା ହୋଇଛନ୍ତି।
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଖିବାକୁ ହେବ ଦେଶ କିଭଳି ନିଜକୁ ପୂର୍ବବତ୍‌ ଆର୍ଥିକ ସ୍ତରରେ ସକ୍ଷମ କରିପାରୁଛି। ଦେଶର କୃଷକ ସର୍ବଦା ପ୍ରକୃତିର ଅଧୀନ ହୋଇ ରହିଛି। ଲକ୍‌ଡାଉନ୍‌ ଯୋଗୁ ଗମନାଗମନରେ ଅନେକ ପ୍ରତିବନ୍ଧକ ଦେଖାଦେଇଛି। ବିଭିନ୍ନ ରାଜ୍ୟର ଚାଷୀ ନିଜର ଉତ୍ପାଦିତ ଶସ୍ୟକୁ ଖାଉଟିଙ୍କ ପାଖରେ ନ ପହଞ୍ଚାଇ ପାରି ଅନେକ ଆର୍ଥିକ କ୍ଷତି ସହିଛନ୍ତି। ରାସ୍ତା ଉପରେ ଶହ ଶହ ଲିଟର କ୍ଷୀର ଢାଳିବା, ପନିପରିବା ଗାଈ, ଛେଳି ଖାଇବା ଭଳି ଦୁଃଖଦ ଦୃଶ୍ୟ ବିଭିନ୍ନ ଉତ୍ସରୁ ଲୋକଲୋଚନକୁ ଆସିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ଦେଶରେ ଖାଦ୍ୟଶସ୍ୟ, ପନିପରିବାର ମୂଲ୍ୟରେ ଅହେତୁକ ବୃଦ୍ଧି ନ ହେବ ବୋଲି କହି ହେବନାହିଁ।
ଆଜି ଦେଶରେ ଯେଉଁ ସମସ୍ୟା ଦେଖାଦେଇଛି ତାହା କୌଣସି ନିର୍ଦ୍ଦିଷ୍ଟ ପ୍ରାନ୍ତ କିମ୍ବା ରାଜ୍ୟର ସମସ୍ୟା ହୋଇ ରହିନାହିଁ, ତାହା ଜାତୀୟ ସମସ୍ୟା ହୋଇ ଉଭା ହୋଇଛି। ଜୀବନକୁ ବଞ୍ଚାଇବାକୁ ଗଲେ ଜୀବିକାକୁ ବଳି ପକେଇବାକୁ ହେଉଛି। କରୋନା ମହାମାରୀ ଯୋଗୁ ଆଜି ଅର୍ଥନୈତିକ ମାନଚିତ୍ରରେ ଯେଉଁ ପରିବର୍ତ୍ତନ ଦେଖାଦେଇଛି ନିଶ୍ଚିତରୂପେ ଏହାର ପ୍ରଭାବ ଊଣାଅଧିକେ ସମଗ୍ର ଦେଶବାସୀଙ୍କ ଉପରେ ପଡ଼ିବ ଦରଦାମ୍‌ ବୃଦ୍ଧି, ନିଯୁକ୍ତିର ଅଭାବ ଆକାରରେ। କିନ୍ତୁ ଏଭଳି ମୁହୂର୍ତ୍ତରେ ଆଜି ବିଶାଳ ଭାରତର ସରକାରୀ ବ୍ୟବସ୍ଥା ଏହି ସମସ୍ୟାରୁ ଦେଶକୁ ଉଦ୍ଧାର କରିବା ପାଇଁ ଅବିରତ ପ୍ରୟାସ ଚଳାଇଛନ୍ତି। ଏହା ହିଁ ଜୀବନ ଓ ଜୀବିକାର ଦୋଛକିରୁ ଭାରତକୁ ବାହାର କରି ପୂର୍ବଭଳି ନିଜର ପ୍ରଗତି ପଥରେ ଆଗେଇ ନେବ ବୋଲି ଆଶା କରାଯାଏ।

ସୁଦ୍‌ପଡ଼ା, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri