ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୩୫ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ, ୨୪|୪ (ଡି.ଏନ୍‌.ଏ) – ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାରଠାରୁ ତିନିଦିନିଆ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ରେଡକ୍ରସ ସ୍ବାସ୍ଥ୍ୟ ଭଣ୍ଡାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବର୍ତ୍ତମାନ କରୋନା ମହାମାରୀ ଜୀବନଯାତ୍ରାକୁ ସ୍ଥାଣୁ କରିଦେଇଥିବା ବେଳେ ଲକ୍‌ଡାଉନ କଟକଣା ମଧ୍ୟରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରକ୍ତର ଅଭାବ ଯୋଗୁଁ ରୋଗୀଙ୍କ ଜୀବନ ବିପଦରେ। ଏହି ଡାକ୍ତରଖାନା ଉପରେ ସୁନ୍ଦରଗଡ ସମେତ ପଡୋଶୀ ଜିଲା ଝାରସୁଗୁଡା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡର ରୋଗୀମାନେ ନିର୍ଭର କରିଥାଆନ୍ତି। ସେଥିପାଇଁ ଏଠାରେ ମାସିକ ପ୍ରାୟ ୩୭୫ ୟୁନିଟ ରକ୍ତର ଆବଶ୍ୟକତା ପଡିଥାଏ। ଲକଡାଉନ ଯୋଗୁଁ ରୋଗୀଙ୍କ ପରିବାରବର୍ଗ ମଧ୍ୟ ଡାକ୍ତରଖାନା ଆସିବାର ଅସୁବିଧା ହେଉଛି। ଫଳରେ ରୋଗୀଙ୍କୁ ବ୍ଲଡବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳି ସ୍ଥିତିରେ ବିଜେଡି ଜିଲା ପ୍ରଭାରୀ ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡାଇ ଓ ଜୀବନବିନ୍ଦୁର ସୁନ୍ଦଋଗଡ ସଂଯୋଜକ ବିନୟ ଟପ୍ପୋଙ୍କ ସହଯୋଗରେ ସୁନ୍ଦରଗଡ, ତଳସରା ଅଞ୍ଚଳର ଛାତ୍ର ଓ ଯୁବକମାନେ ଅଂଶଗ୍ରହଣ କରିଥିଲେ । ଛାତ୍ର ବିଜୁ ଜନତା ଦଳର ପଶ୍ଚିମାଞ୍ଚଳ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ହରଜେନ୍ଦ୍ର ସିଂ,ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଅଶୋକ ସ୍ବାଇଁ, ଲଲାଟ ପରିଡା ରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।