ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ ଦିନ କାଟୁଛନ୍ତି। ଗୁରୁବାର ସେମାନେ ଜିଲାପାଳଙ୍କୁ ଭେଟି ଜୀବନଜୀବିକା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁସାରେ ବିବାହ, ବ୍ରତୋପନୟନ ପରି ସାମାଜିକ କାର୍ଯ୍ୟ, ମନ୍ଦିର ଓ ଘରେ ରଙ୍ଗ କରିବା, ଚିତ୍ର ଆଙ୍କିବା, ବ୍ୟାନର, ସାଇନବୋର୍ଡ, ସରକାରୀ ବିଜ୍ଞାପନ କାନ୍ଥରେ ଲେଖିବା ପାଇଁ ଖୋଜା ପଡନ୍ତି ପେଣ୍ଟିଂ ଆର୍ଟିଷ୍ଟ। ଏହି କାମରେ ୨ରୁ ୩ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିୟୋଜିତ ହୋଇଥାନ୍ତି। କାମ ଅନୁଯାୟୀ ପାରିଶ୍ରମିକ ଧାର୍ଯ୍ୟ ହୁଏ। ସେମାନେ ଭଲ ଦୁଇପଇସା ରୋଜଗାର କରି ଚଳିଯାଉଥିଲେ। ଲକ୍‌ଡାଉନ ପରେ କାମ ଠପ୍‌ ହୋଇଗଲା। ପେଣ୍ଟିଂ ଆର୍ଟିଷ୍ଟମାନେ ରାଜ୍ୟଠାରୁ ଆରମ୍ଭ କରି ଜିଲା, ବ୍ଲକ ସ୍ତରରେ ଅଧିକାରୀମାନଙ୍କୁ ସେମାନଙ୍କ ସମସ୍ୟା ଅବଗତ କରିଥିଲେ ବି ସୁଫଳ ପାଇନାହାନ୍ତି। ଜିଲା ସଭାପତି ବିଜୟ କୁମାର ସାହୁ ଓ ସମ୍ପାଦକ ସୁରେନ୍ଦ୍ର କୁମାର ଜେନା କୁହନ୍ତି, ରାଜ୍ୟ ସରକାର ଗତ ୧୪ ତାରିଖରେ ଘୋଷଣା କରିଛନ୍ତି ୬ମାସ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଅସ୍ଥାୟୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯିବ। ପେଣ୍ଟିଂ ମାଧ୍ୟମରେ କାନ୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ। ହେଲେ ସରକାର ସେମାନଙ୍କୁ ଚିହ୍ନଟ କରି ପରିଚୟପତ୍ର ଦେଇ ନ ଥିବାରୁ ଏହି କାର୍ଯ୍ୟ ସେମାନେ ପାଇବେ ବୋଲି କହିବା ମୁସ୍କିଲ। ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କୁ କାମ କରାଇବାକୁ ସୁଯୋଗ ଦେବା ଦରକାର।