ଜିଲା ଶିକ୍ଷାଧିକାରୀଙ୍କ ନିୟମକୁ ବିରୋଧ :ସ୍କୁଲରେ ତାଲା ପକାଇଲେ ମହିଳା

ଆନନ୍ଦପୁର,୨୩। ୭(ସ୍ବ.ପ୍ର.)- ଘସିପୁରା ବ୍ଲକ ଭୋଳନୁଆଗାଁର ୟୁଜିଏମଇ ସ୍କୁଲକୁ ସୋମବାର ମହିଳା ଅଭିଭାବକମାନେ ତାଲା ପକାଇଥିଲେ। ଏହି ବିଦ୍ୟାଳୟର ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ ୬ଟାରୁ ୧୧ ଟା ଏବଂ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପଠାପଢିବେ ବୋଲି ଜିଲା ଶିକ୍ଷାଧିକାରୀ ନିୟମ କରିଛନ୍ତି। ଏହି ନିୟମକୁ ବିରୋଧ କରି ମହିଳା ମାନେ ବିଦ୍ୟାଳୟ ମୁଖ୍ୟ ଫାଟକକୁ ଦୀର୍ଘ ଘଣ୍ଟା ଧରି ତାଲା ପକାଇଥିଲେ।
ଶ୍ରେଣୀ ଗୃହର ଅଭାବ ବିଦ୍ୟାଳୟର ମୁଖ୍ୟ ସମସ୍ୟା। ଗୋଟିଏ ଶ୍ରେଣୀ ଗୃହରେ ବିଦ୍ୟାଳୟର ପ୍ରଥମରୁ ୭ମ ପର୍ଯ୍ୟନ୍ତ ୧୩୮ ଛାତ୍ରୀଛାତ୍ର ନିର୍ଭର କରୁଛନ୍ତି। ବିଦ୍ୟାଳୟର ରହିଥିବା ଅସୁରକ୍ଷିତ ଶ୍ରେଣୀ ଗୃହର ମରାମତି ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ନୂତନ ଗୃହ ପାଇଁ ମଧ୍ୟ ଅନୁଦାନ ମଞ୍ଜୁର ହୋଇଛି। ହେଲେ ଶ୍ରେଣୀ ଗୃହ ମରାମତି ହୋଇପାରୁନି କି ନୂତନ ଗୃହ ମରାମତି ହୋଇପାରୁନି। ଯେଉଁଥିପାଇଁ ଶିକ୍ଷା ଜିଲା ଅଧିକାରୀ ଛାତ୍ରୀଛାତ୍ର ପାଠପଢିବା ପାଇଁ ଏହି ନିୟମ ଲାଗୁ କରିଥିଲେ। ଯାହାକୁ ଅଭିଭାବକମାନେ ବିରୋଧ କରିଛନ୍ତି। ବିଦ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ ଏବଂ ଅସୁରକ୍ଷିତ ଗୃହର ମରାମତି କରାଯାଇ ଛାତ୍ରୀଛାତ୍ରଙ୍କ ପାଠପଢାକୁ ସ୍ବାଭାବିକ କରିବା ପାଇଁ ମହିଳାମାନେ ବିଦ୍ୟାଳୟରେ ତାଲା ପକାଇଥିଲେ। ଏବିଇଓ ଉତ୍ତମ ନାୟକ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ମହିଳାମାନେ ଜିଦ୍‌ରେ ଅଟଳ ରହିଥିଲେ। ପରେ ଏନେଇ ଘସିପୁରା ବିଡିଓଙ୍କ ସହିତ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରିବାକୁ ମହିଳାମାନଙ୍କୁ ବିଇଓ ନାୟକ କହିଥିଲେ। ପରେ ମହିଳାମାନେ ଧାରଣାରୁ ଓହରିବା ସହିତ ବିଡିଓଙ୍କ ସହିତ ଉଭୟ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ଆଲୋଚନା କରି ସମାଧାନର ସୂତ୍ର ବାହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।