ଜିଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି: ଚିକିତ୍ସା ସେବାକୁ ପ୍ରାଥମିକତା ଦିଅ

ବାଲେଶ୍ୱର ଅଫିସ,୨୮।୧୧- କେନ୍ଦ୍ରାଞ୍ଚଳ ଆର୍‌ଡ଼ିସି ଇଂ. ଅନିଲ କୁମାର ସାମଲ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଅଚାନକ ଗସ୍ତରେ ଆସି ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟାର ପ୍ରତିକାର ଉପରେ ସେ ଗୁରୁତ୍ୱାରୋପ କରି ତୁରନ୍ତ ଏହାର ସମାଧାନ ପାଇଁ ଜିଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ୫-ଟି କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରୋଗୀଙ୍କୁ ଯେଭଳି ଉପଯୁକ୍ତ ଚିକିତ୍ସା ସେବା ମିଳିବ ସେଥିଲାଗି ପ୍ରାଥମିକତା ଦେବାକୁ ସେ କହିଥିଲେ।
କେନ୍ଦ୍ରାଞ୍ଚଳ ଆର୍‌ଡ଼ିସି ଇଂ. ସାମଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ପ୍ରଥମେ ସର୍ଜରୀ ୱାର୍ଡ଼, ସ୍ତ୍ରୀ ଓ ପ୍ରସୂତି ବିଭାଗ ଯାଇ ପରେ ଭେଷଜ ବିଭାଗ ବୁଲି ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଆର୍‌ଡ଼ିସିଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଅବଗତ କରାଇଥିଲେ। ସେଥିମଧ୍ୟରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଉତ୍ତମ ସେବା ପାଇଁ ବ୍ୟବସ୍ଥା, ଆବଶ୍ୟକୀୟ ଉପକରଣ ଅଭାବ ଥିବାର ରୋଗୀଙ୍କ ସମ୍ପର୍କୀୟ ଗିରିଜା ଦାସ ଅଭିଯୋଗ ଆଣିଥିଲେ। କେନ୍ଦ୍ରାଞ୍ଚଳ ଆର୍‌ଡ଼ିସି ପରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ରୋଗୀଙ୍କ ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ଖାଇବା ସହ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଖାଦ୍ୟର ମାନ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଫକୀରମୋହନ ମେଡ଼ିକାଲ କଲେଜ ଡିନ୍‌ ଅଧ୍ୟକ୍ଷ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ୫-ଟି ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ପ୍ରଶାସନିକ ଅଧିକାରୀମାନେ ଉଦ୍ୟମ ଚଳାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ କହିଥିଲେ।