ଜିଲା ପ୍ରଶାସନ ତରଫରୁ ଦିଆଗଲା ଶୁଖିଲା ରାଶନ

ବାଲେଶ୍ୱର ଅଫିସ, ୧୦।୫-ଲକଡାଉନ ସମୟରେ ନିଜ ଗୁଜରାଣ ମେଣ୍ଟାଇବା ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ୫୩ଟି ଅସହାୟ ପରିବାରଙ୍କୁ ଜିଲା ପ୍ରଶାସନ ତରଫରୁ ଶୁଖିଲା ରାଶନ କିଟ୍‌ ବଣ୍ଟନ କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜରୁରୀକାଳୀନ ବିଭାଗ ତରଫରୁ ଶୁକ୍ରବାର ୨୩ ଜଣ ଗୁପଚୁପ୍‌ ବିକାଳି ଏବଂ ୩୦ଜଣ ଜୋତା ମରାମତିକାରୀଙ୍କ ପରିବାରକୁ ଏହି କିଟ୍‌ ପ୍ରଦାନ କରାଯାଇଛି। ପ୍ରତ୍ୟେକ ରାଶନ କିଟ୍‌ରେ ୧୦ କିଲୋ ଚାଉଳ, ୫ କିଲୋ ଆଳୁ, ୧ କିଲୋ ପିଆଜ, ୧ କିଲୋ ଡାଲି ସହ ୧ଲିଟର ତେଲ ରହିଛି। ଲକ୍‌ଡାଉନ ଅବଧିରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ସରକାରୀ ସହାୟତା ପାଇଁ ଆବେଦନ କରିଥିବା ଏହି ପରିବାରବର୍ଗଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଜିଲାପାଳ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେବା ପରେ ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ପରିବାରବର୍ଗଙ୍କ ପାଖରେ ରାଶନକାର୍ଡ ନ ଥିବାରୁ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କ ତତ୍ତ୍ୱାବଧାନରେ ଏହି ରାଶନ କିଟ୍‌ ବଣ୍ଟନ କରାଯାଇଥିଲା ା