ଜିଲା ପାଠାଗାରରେ ଅବ୍ୟବସ୍ଥା: ଆସୁଛନ୍ତି ହାତଗଣତି ପାଠକ

ନୟାଗଡ଼ ଅଫିସ,୨୮ା୧୧: ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପାଠାଗାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭିତ୍ତିଭୂମି ସୁଦୃଢ଼ ଥିବା ସତ୍ତ୍ୱେ ଆଶାତୀତ ପାଠକ ଆସୁନାହାନ୍ତି। ପ୍ରତିଦିନ ହାତଗଣତି ୭ରୁ ୧୦ ଜଣ ପାଠକ ଆସୁଥିବା ଦେଖିବାକୁ ମିଳୁଛି। ବହି ରଖିବା ପାଇଁ ଆଲମିରା ନ ଥିବାରୁ ଏଣେତେଣେ ରଖିବାକୁ ପଡୁଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ନିକଟରେ ପାଠାଗାର ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଜାଣିପାରୁ ନାହାନ୍ତି। ପ୍ରତିଦିନ ଏଠାକୁ ଦୈନିକ ପ୍ରକାଶିତ ହେଉଥିବା ୨୦ ଖଣ୍ଡ ଖବରକାଗଜ ଆସୁଛି। ସେହିପରି ପ୍ରତି ମାସରେ ପ୍ରକାଶ ପାଉଥିବା କରେଣ୍ଟ ଆଫାୟାର୍ସ ମାଗାଜିନ୍‌ ଓ ନିଯୁକ୍ତି ଖବର ମଧ୍ୟ ଆସୁଛି। ଯୁବତୀଯୁବକ ଓ ବୁଦ୍ଧିଜୀବୀ ପାଠାଗାରକୁ ଯାଇ ସୂଚନା ପାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଯେପରି ଦୂରେଇଯାଉଛି। ଅନ୍ୟପକ୍ଷେ ପାଠାଗାରଠାରୁ କଲେଜର ଦୂରତା ୨ କିଲୋମିଟର ହେଉଥିବାରୁ କଲେଜ ଛାତ୍ରୀଛାତ୍ର ଯାଉ ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଜିଲାରେ ଥିବା ଏହି ଏକମାତ୍ର ସରକାରୀ ପାଠାଗାରରେ ୧୦ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଠାରୁ ଆରମ୍ଭ କରି ବିଭିନ୍ନ ବହି ଏଠାରେ ଉପଲବ୍ଧ। ପ୍ରତିଦିନ ସକାଳ ୮ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ପାଠାଗାର ଖୋଲା ହେବାର ନିୟମ ରହିଛି। ହେଲେ ସନ୍ଧ୍ୟା ସମୟରେ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି। ପାଠାଗାରରେ ବର୍ତ୍ତମାନ ୧୩୫ ଜଣ ସଦସ୍ୟ ରହିଛନ୍ତି। ଅନ୍ୟପଟେ ଦିନକୁ ଦିନ ବହି ପ୍ରତି ଲୋକଙ୍କ ଆକର୍ଷଣ କମିଯାଉଥିବାରୁ ଲୋକମାନେ ଆସୁ ନ ଥିବା କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଠାଗାର କିପରି ସୁବ୍ୟବସ୍ଥିତ ହେବ ଓ ପାଠକମାନେ ଆକୃଷ୍ଟ ହୋଇ ଆସିବେ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲାଇବ୍ରେରିଆନ ସୁରେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ବରୁ କୋର୍ଟ ପାଖରେ ଥିବା ସମୟରେ ପାଠକମାନେ ଆସୁଥିଲେ, ବର୍ତ୍ତମାନ ଏହା ଦୂର ହୋଇଯାଉଥିବାରୁ ଅଧିକାଂଶ ପାଠକ ଆସିପାରୁ ନାହାନ୍ତି।