ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି ଫେରି ପାଇଛନ୍ତିି। ଦୀର୍ଘ ୧୦ ମାସ ପରେ ନିଜ କାର୍ଯ୍ୟାଳୟକୁ ଫେରି କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ , ୨୦୧୭ ମାର୍ଚ୍ଚ ୧୨ରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଏବଂ ବିଜେଡ଼ିର ଗଙ୍ଗାଧର ପୁଆଲା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ୨୨ ଜିଲାପରିଷଦ ସଭ୍ୟଙ୍କ ମଧ୍ୟରୁ ଭାଜପା ସପକ୍ଷରେ ୩ ଟି ଭୋଟ ପଡ଼ିଥିବାବେଳେ ବିଜେଡ଼ିକୁ ମିଳିଥିଲା ୯ ଟି ଭୋଟ। କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ୧୦ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗୁପ୍ତ ମତଦାନରେ ବ୍ୟାହତ ସାଙ୍ଗକୁ ସରକାର ନିର୍ବାଚନର ଖିଲାପ ଦର୍ଶାଇ ରାୟଗଡ଼ା ଜୋନ -୨ ର ବିଜେଡ଼ି ଜିଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତତ୍କାଳୀନ ନିର୍ବାଚନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ ଏବଂ ଗଙ୍ଗାଧର ପୁଆଲାଙ୍କ ବୟାନ ରେକର୍ଡ କରି ପୁରୁଷୋତ୍ତମଙ୍କୁ ନୋଟିସ କରିଥିଲେ। ମାତ୍ର ନୋଟିସ ସ଼ତ୍ତ୍ୱେ ପୁରୁଷୋତ୍ତମ କୋର୍ଟରେ ହାଜର ନ ହେବାରୁ ଜିଲା ଦୈରାଜଜ୍‌ ତାଙ୍କର ଜିଲା ପରିଷଦ ଅଧ୍ୟକ୍ଷ ପଦ ରଦ୍ଦ କରିଥିଲେ। ଏନେଇ ପୁରୁଷୋତ୍ତମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିଜ ରାୟରେ ତଳ କୋର୍ଟର ରାୟକୁ ଖାରଜ କରିବା ସହ ଆସନ୍ତା ୨୫ ରେ ନିଜ ପକ୍ଷ ତଳ କୋର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ପୁରୁଷୋତ୍ତମ କହିଛନ୍ତି।