ଜିଲା ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ପକ୍ଷରୁ ବିଭିନ୍ନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ

ଭବାନୀପାଟଣା,୨୫।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଏହି ଅବସରରେ ୧୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ଶ୍ରମ କମିଶନର ତଥା ସଚିବ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କ ଏକ ବିଶାଳ ରାଲି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଏକ ବିରାଟ ବିକ୍ଷୋଭ ସଭାରେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲାପାଳଙ୍କ ଜରିଆରେ ସେମାନେ ଦାବିପତ୍ର ରାଜ୍ୟ ଶ୍ରମ କମିଶନର ତଥା ସଚିବଙ୍କ ନିକଟକୁ ପଠାଇଥିଲେ। ସେମାନଙ୍କ ଦାବି ମଧ୍ୟରେ ରାଜ୍ୟ ତଥା କଳାହାଣ୍ଡି ଜିଲାର ନିର୍ମାଣ ଶ୍ରମିକମାନେ ଅକ୍ଲାନ୍ତ ପରିଶ୍ରମ କରି ସେମାନଙ୍କ ଶ୍ରମ ପ୍ରଦାନ କରୁଛନ୍ତି। ହେଲେ ସେମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଯେଭଳି ସହାୟତା ପ୍ରଦାନ କରିବା କଥା ତାହା ମିଳୁନାହିଁ । ଜିଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ପଞ୍ଜୀକରଣ ନିମନ୍ତେ ଆସିଥିବା ଶହ ଶହ ଆବେଦନ ପତ୍ର ପଡିରହିବା, ନୂତନ ଭାବେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେବା ଓ ବିଭିନ୍ନ ସହାୟତା ପ୍ରଦାନରେ ଅସହାୟ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ସହାୟତା ପ୍ରଦାନରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ଆଦି ବିଭିନ୍ନ ଦାବି ରହିଛି। ଏଥିରେ ଶ୍ରମିକ ନେତା ଗୌରଚନ୍ଦ୍ର ନାଏକ, ଡମ୍ବରୁଧର ବେହେରା, ଜୀବନ ଜ୍ୟୋତି ବାଗ, ଶିଶିର ପଟ୍ଟନାୟକ, ଅନିଲ କୁମାର ସାହୁ, ଚୈତନ୍ୟ ସାହୁ, ସତ୍ୟ ମାଝି, ଆନନ୍ଦ ଶଡଙ୍ଗୀ, ସୁବାସ ଦାଶ ଓ ସୁରେନ୍ଦ୍ର କୁମାର କର ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ସମାବେଶର ଉଦ୍‌ବୋଧନ ଦେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।