Categories: ରାଜ୍ୟ

ଜିଲା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା: ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

ଢେଙ୍କାନାଳ ଅଫିସ, ୨୪।୭: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା କମିଟି ପକ୍ଷରୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏ ଦଳୀୟ କାର୍ଯ୍ୟକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ପ୍ରତିବାଦ କରିଥିଲେ।
ଦୀର୍ଘ ୧୯ବର୍ଷ ହେଲା ରାଜ୍ୟର ଶାସନ ଡୋରି ବିଜେଡି ସରକାର ହାତରେ ରହିଛି। ହେଲେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସରକାର ଯେମିତି ଭୁଲିଯାଇଛନ୍ତି। ରାଜ୍ୟରେ ଶିଶୁ, ନାବାଳିକା, କେହି ସୁରକ୍ଷିତ ନାହାନ୍ତି। ବଳାତ୍କାର, ଗଣବଳାତ୍କାର, ଅପହରଣ ଭଳି ସମ୍ବେଦନଶୀଳ ଘଟଣା ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟରେ ୬ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭-୧୮ ବର୍ଷରେ ୨୨୦୦ଜଣ ବଳାତ୍କାରର ଶିକାର ହୋଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨୫୦୦ରେ ପହଞ୍ଚତ୍ଲାଣି। ସେହିପରି ୫୦୨ ଶିଶୁ ନିଖୋଜ ହେବା ଚିନ୍ତାର ବିଷୟ। ଏସବୁ ଘଟଣାର ନିରାକରଣ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସାରା ଓଡ଼ିଶାରେ ପ୍ରତିବାଦର ସ୍ବର ଉଠିବ ବୋଲି ଉପସ୍ଥିତି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।
ଜିଲା ସଭାପତି ସୁରେଶଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଧାରଣାରେ ଜିଲା କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବିପ୍ରବର ସାହୁ, ତ୍ରିନାଥ ବେହେରା, ମମତାଞ୍ଜଳି ବେହେରା, ତୁଷାରକାନ୍ତ ନାୟକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ କଂଗ୍ରେସ ପ୍ରତିନିଧି ଦଳ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।