ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ପ୍ରଦର୍ଶନର ଉତ୍ତମ ମଞ୍ଚ

ନୟାଗଡ଼ ଅଫିସ,୨୧।୧୧: ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଜିଲାସ୍ତରୀୟ ଯୁବ ଉତ୍ସବ ୨୦୧୯ ବୁଧବାର ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଉଦ୍‌ଯାପିତ ହୋଇଯାଇଛି। ଯୁବ ପ୍ରତିଭାର ବିକାଶ ତଥା ଯୁବତୀଯୁବକଙ୍କୁ ଏକ ସାଂସ୍କୃତିକ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଉତ୍ସବର ଶେଷ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଜିଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡ. ପୋମା ଟୁଡ଼ୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୁବଶକ୍ତି ଅପରିମିତ ଶକ୍ତିର ଆଧାର ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଉତ୍ତମ କ୍ଷେତ୍ର ବୋଲି କହିଥିଲେ। ଉତ୍ସବରେ ଡିଏଫଓ ଧନରାଜ ଏଚଡି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଯୋଗୀମାନେ ଲୋକ ଗୀତ, ଲୋକ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଆଦି ପରିବେଷଣ କରିଥିଲେ। ଲୋକ ଗୀତରେ ନୟାଗଡ଼ କଳା ପରିଷଦ, ଓଡ଼ିଶୀ ନୃତ୍ୟରେ ମିନର୍ଭା ସାମନ୍ତରାୟ, ତବଲାରେ ଓଁକାର ଔଜଲ୍ୟ, ବକ୍ତବ୍ୟରେ ପିନାକୀ ପ୍ରିୟଦର୍ଶନୀ, ହାରମୋନିୟମରେ ପ୍ରୟାତତ୍ମା ରଥ, କଥକ ନୃତ୍ୟରେ ରୋହନ କୁମାର ସେଠୀ, ଏକକ ଅଭିନୟରେ ରକଷ୍ଟାର ଗ୍ରୁଫ୍‌, ଲୋକ ନୃତ୍ୟରେ ନୟାଗଡ଼ କଳା ପରିଷଦ ଜିଲାସ୍ତରୀୟ ଏହି ପ୍ରତିଯୋଗୀତାରେ ପ୍ରଥମ ହୋଇଥିଲେ। ଆଗାମୀ ଦିନରେ ଭଦ୍ରକରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଭାଗ ନେବା ପାଇଁ ଏମାନେ ମନୋନୀତ ହୋଇଛନ୍ତି। ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ଫୁଟବଲ୍‌ କୋଚ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପତ୍ଳ କୁମାର ସାହୁ, ରାମକୃଷ୍ଣ ରଥ, ରୀନାବାଳା ଆଚାର୍ଯ୍ୟ ପରିଚାଳନା କରିଥିଲେ।