ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଯାଜପୁର ଟାଉନ,୩୦-୧୦(ଡି.ଏନ୍‌.ଏ.)- ଜିଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି। ଏହି ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ଦୁର୍ନୀତିକୁ ଏକ ସାମାଜିକ ବ୍ୟାଧି ବୋଲି ବର୍ଣ୍ଣନା କରିଥିଲେ। ଏହାର ନିରାକରଣ ଦିଗରେ ସମସ୍ତେ ଯନତ୍ବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ପ୍ରତି ରାଜ୍ୟ ସରକାରଙ୍କ ‘ମୋ ସରକାର’, ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଦୁର୍ନୀତିକୁ ରୋକାଯାଇ ପାରିଛି। ଫଳରେ ଆଗଭଳି ଦୁର୍ନୀତି କଣ୍ଠାଗ୍ରସ୍ତ ଭାବରେ ଆଉ ନାହିଁ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଅନ୍ୟତମ ଅତିଥିଭାବେ ଯୋଗଦେଇ ଦୁର୍ନୀତି ଉପରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ। ଦୁର୍ନୀତି ବିଭାଗ ତରଫରୁ ଏବର୍ଷ ୯ ଗୋଟି ମାମଲା ରୁଜୁ ହୋଇଛି। ସେଥିରୁ ୨ଗୋଟି ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା, ୩ ଗୋଟି ଅଫିସିଆଲ କେସ୍‌, ୫ଗୋଟି କେସ୍‌ରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ୨୫ଗୋଟି ଦରଖାସ୍ତ ଉପରେ ଅନୁସନ୍ଧାନ ଚାଲିଛି। ଏବଂ ୧୦୦ ଗୋଟି କେସ୍‌ ଭବିଷ୍ୟତରେ ଅନୁସନ୍ଧାନ ହେବାକୁ ଅଛି ବୋଲି ଦୁର୍ନୀତି ବିଭାଗ ତରଫରୁ ପ୍ରକାଶ କରାଯାଇଥିଲା।