ଜିଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ :ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ

ସୁନ୍ଦରଗଡ଼, ୪।୧୨ (ଡି.ଏନ୍‌.ଏ) -ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ମାଦ୍ରି କାଲୋ ଭବନଠାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସମାରୋହରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସାମୂହିକ ପ୍ରଚେଷ୍ଟା ଲୋଡା ବୋଲି କହିଥିଲେ। ଏହାପରେ ଛାତ୍ରୀଛାତ୍ରମାନଙ୍କୁ ହ୍ବିଲ ଚେୟାର, ଶ୍ରବଣ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଆଦି ବଣ୍ଟନ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମ୍ୟୁଜିକ ଚେୟାରରେ ପ୍ରଥମ ହୋଇଥିବା ବଡ଼ଗାଁ ଏକମା ହାଇସ୍କୁଲର ଶିବ ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆୟୋଜିତ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏତଦ୍‌ ବ୍ୟତୀତ ୬ଜଣଙ୍କୁ ହ୍ବିଲ ଚେୟାର, ୬ଜଣଙ୍କୁ ଡିଜିଟାଲ ଶ୍ରବଣ ଯନ୍ତ୍ର ଓ ୫ଜଣ ଦିବ୍ୟାଙ୍ଗଙ୍କୁ ୫୦ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ସାମାଜିକ କର୍ମୀ ତଥା ଆଇନଜୀବୀ ସ୍ନେହଲତା ପଟେଲ, ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଓ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମଗ୍ର ଶିକ୍ଷା ସଂଯୋଜକ ଅମାତ୍ୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସଦର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସକାଳେ ଏନ୍‌ସିସି କ୍ୟାଡେଟ, ନର୍ସିଂ ଛାତ୍ରୀ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଅତିରିକ୍ତ ଜିଲାପାଳ ନୃସିଂହ ଚରଣ ସ୍ବାଇଁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ବିଶି ପ୍ରମୁଖ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।