ଜିଲାରେ ୨୬୪.୬ ମିମି ବର୍ଷା: ରାଜପଥରେ ଆଣ୍ଠୁଏ ପାଣି

ଅନୁଗୋଳ ଅଫିସ, ୯।୯ :ଲଗାଣ ବର୍ଷା ପରେ ରବିବାର ସକାଳୁ ପାଗ ଟିକେ ଶୁଖିଲା ଥିଲା। ଏପରି କି ମଧ୍ୟାହ୍ନ ପର୍ଯ୍ୟନ୍ତ ସହରର ପାଗ ଭଲ ରହିଥିଲା। ହେଲେ ଏହାପରେ ଆରମ୍ଭ ହୋଇଥିଲା ବର୍ଷା। ଗୋଟିଏ ଅସରା ପରେ ଆଉ ଏକ ବଡ଼ ଅସରା ସହ ପବନ ସହରବାସୀଙ୍କୁ ଭିଜାଇ ଦେଇଥିଲା। ସହର ଦେଇ ଯାଇଥିବା ୫୫ନଂ. ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ସେହିପରି ପାଲଲହଡ଼ା ଅଞ୍ଚଳରୁ ଜଣେ ଶିଶୁ ବର୍ଷା ପାଣିରେ ଭାସି ନିଖୋଜ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଖୋଜାଖୋଜି କରୁଛି।
ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲାରେ ୨୬୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନୁଗୋଳରେ ୪୪.୦ ମିଲିମିଟର ବର୍ଷା ହୋଇଥିବାବେଳେ ବଅଁରପାଳରେ ୧୧.୬ ମିମି, ଛେଣ୍ଡିପଦାରେ ୧୬.୬ ମିମି, ତାଳଚେରରେ ୩୬.୦ ମିମି, କଣିହଁାରେ ୬୫.୨ ମିମି, ଆଠମଲ୍ଲିକରେ ୨୪.୦ ମିମି, କିଶୋରନଗରରେ ୨୯.୨ ମିମି, ପାଲଲହଡ଼ାରେ ୩୮.୦ ମିଲିମିଟର ବର୍ଷା ହୋଇଛି। କଣିହଁା ପରେ ଅନୁଗୋଳରେ ଅଧିକ ବର୍ଷା ହୋଇଥିବାରୁ ସହରର ବିଭିନ୍ନ ସ୍ଥାନ ପାଣିରେ ଭରି ଯାଇଥିଲା। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ କେଉଁଠି ଖାଲ ତାହା ଜଣାପଡ଼ି ନ ଥିଲା। ଫଳରେ କିଛି ପଥଚାରୀ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶେଷକରି କାଲଟାକ୍ସ ଛକ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଖରାପ ଥିବା ସହ ବର୍ଷା ପରେ ଏହି ସ୍ଥାନରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ରାଜପଥ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ବି ମରାମତି ବ୍ୟବସ୍ଥା ହେଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଏହି ରାସ୍ତାରେ କିପରି ପାଣି ନ ଜମିବ ସେଥିଲାଗି ଉଦ୍ୟମ ଚାଲିଛି। ଏହାର ସବୁଦିନିଆ ସମାଧାନ କରାଯିବ।