ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ  ଯାଜପୁର ଜିଲାପାଳ: ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଚିଠି

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ରୋଗୀସେବା ନିମନ୍ତେ ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶନିବାର ଚିଠି ଲେଖିଥିବା ଜଣାପଡିଛି। ଚିଠି (ନଂ. ୩୭୬/୭।୯।୨୦୧୯)ରେୁ ଜିଲାପାଳ ମୋ ସରକାର ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରଙ୍କ ପାଇଁ ୫-ଟି ଲାଗୁ କରିଥିବା ଜଣାପଡିଛି। ଖୋଦ୍‌ ଜିଲାପାଳ ଏହି ଚିଠିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଅନୁନ୍ନତ ସ୍ବାସ୍ଥ୍ୟ ସେବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଡାକ୍ତରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତ ଠିକ୍‌ ସମୟରେ ପହଞ୍ଚତ୍ ନ ଥିବା, ରୋଗୀଙ୍କ ପାଇଁ ଆଉଟ୍‌ଡୋର ଓ ଅପରେସନ୍‌ ଥିଏଟରଗୁଡିକ ଠିକ୍‌ଭାବେ କାର୍ଯ୍ୟକାରୀ କରିବା, ଦଲାଲ ଓ ଘରୋଇ ଆମ୍ବୁଲାନ୍ସଗୁଡିକ ଉପରେ ନଜର ରଖିବା ସାଙ୍ଗକୁ ଡାକ୍ତରମାନେ ନିରାମୟ ମେଡିସିନ୍‌ ଉପରେ ଗୁରୁତ୍ୱାରୋପ କରିବା, ରେଡକ୍ରସ ଓ ଡିଏମ୍‌ଏଫ ପରି ବିଭାଗର ଅର୍ଥ ରାଶିକୁ ଖର୍ଚ୍ଚ କରି ରୋଗୀ ସେବାକୁ କିପରି ଉନ୍ନତ କରିହେବ ସେ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ୭ଦିନ ମଧ୍ୟରେ ଉପରୋକ୍ତ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶୃଙ୍ଖଳିତ ଅଧିକାରୀ, କର୍ମଚାରୀଙ୍କ ଦୁର୍ନୀତି କିମ୍ବା ରୋଗୀଙ୍କୁ ଶୋଷଣ କରୁଥିବା ନେଇ କୈଫତ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।