ଜିଲାପାଳ, ପୋଲିସକୁ ରିପୋର୍ଟ ଦେଲେ ଡିସିପିଓ

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ହୁଲୁରିସିଂହା ଅଞ୍ଚଳରେ ଘଟିଥିବା ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ଘଟଣା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗୌରୀ ଶଙ୍କର ବେହେରା ଅନୁଗୋଳ ଜିଲାପାଳ ଓ ପୋଲିସକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଚିଠି ଲେଖାଯାଇଥିବା ଡିସିପିଓ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ହୁଲୁରିସିଂହାରେ ଭଡ଼ାରେ ରହୁଥିବା ଯାଜପୁର ଜିଲାର ଜଣେ ମହିଳାଙ୍କ ପୂର୍ବରୁ ଦୁଇଟି ସନ୍ତାନ ରହିଛନ୍ତି। ଗତ ସପ୍ତାହରେ ମହିଳା ଜଣକ ତୃତୀୟ ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ଆର୍ଥିକ ଅନଟନ ଯୋଗୁ ସେ ଶିଶୁଟିକୁ ଅନ୍ୟଜଣଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖବର ପାଇବା ପରେ ଡିସିପିଓ ବେହେରା ଶିଶୁଟିକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ନେଇ ସେ ମଙ୍ଗଳବାର ରାତିରେ ଫୋନ୍‌ ଯୋଗେ ଜିଲାପାଳଙ୍କୁ ଅବଗତ କରିଥିବା ବେଳେ ବୁଧବାର ଜିଲାପାଳଙ୍କୁ ଲିଖିତ ରିପୋର୍ଟ ପ୍ରଦାନ କରିଛନ୍ତି। ଚିକିତ୍ସାଧୀନ ଶିଶୁପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଦୃତ ଶିଶୁ ସଦନରେ ରଖାଯିବ। ଏହାପରେ ଆଇନ ଅନୁଯାୟୀ ପରବର୍ତ୍ତୀ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଡିସିପିଓ ବେହେରା ପ୍ରକାଶ କରିଛନ୍ତି।