ଜିଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ: ଆଖୁଆପାଳରେ ମଦ ବିକ୍ରି ବନ୍ଦ

ପରଜଙ୍ଗ, ୧୩।୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ଜିଲାପାଳ କ୍ଷମତାର ପ୍ରୟୋଗ କରିଛନ୍ତି ସରପଞ୍ଚ ପ୍ରଦୀପ ବେହେରା। ଏପରି ବେନିୟମ କାର୍ଯ୍ୟରୁ ବିରତ ରହିବାକୁ ସରପଞ୍ଚ ନୋଟିସ୍‌ ମାଧ୍ୟମରେ ଚେତାବନୀ ଦେଇଛନ୍ତି।
୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଆଖୁଆପାଳ ପଞ୍ଚାୟତ ଚୋରା ମଦର ହବ୍‌ ପାଲଟିଛି। ରାସ୍ତାରେ ଖୁଲମ୍‌ଖୁଲା ମଦ ବିକ୍ରି କରାଯାଉଛି। କରୋନା ସଙ୍କଟ ସମୟରେ ଏପରି ମଦ ବ୍ୟବସାୟ ସଂକ୍ରମଣକୁ ନିମନ୍ତ୍ରଣ କରୁଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ଥିଲେ। ପଞ୍ଚାୟତବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସରପଞ୍ଚ ମଦବିକ୍ରି ବନ୍ଦ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏ ସଂକ୍ରାନ୍ତ ନୋଟିସ ପଞ୍ଚାୟତ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ଲାଗିଛି। ପଞ୍ଚାୟତରେ କେହି ମଦ ରାନ୍ଧିପାରିବେ ନାହିଁ। ବିଦେଶୀ ମଦ ବିକ୍ରି ବନ୍ଦ ରହିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଏହାକୁ ତଦାରଖ କରିବା ଲାଗି କମିଟି ଗଢ଼ାଯାଇଛି। କମିଟି ସଦସ୍ୟମାନେ ମଦ ବିକ୍ରି ସମ୍ପର୍କରେ ପୋଲିସକୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଛି। ଏହାକୁ ବାଦ୍‌ ଦେଲେ ଅଯଥା ଗହଳି ଏଡ଼ାଇବା, ଜୁଆ ନ ଖେଳିବା, ସାମାଜିକ ଦୂରତ୍ୱ ରକ୍ଷା, ବିନା ଅନୁମତିରେ ବନ୍ଧୁବାନ୍ଧବଙ୍କୁ ଆଣି ଘରେ ନ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ସରପଞ୍ଚଙ୍କ ଏପରି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।